ଶ୍ରୀମନ୍ଦିରରେ ପାଣ୍ଡିଆନ ଓ କାମିଆ ଜାନିଙ୍କ ଭିଡିଓ ବିବାଦ, ଉଭୟଙ୍କ ଗିରଫଦାରୀ ଦାବି କଲା ବିଜେପି

ଭୁବନେଶ୍ବର (ଓଡ଼ିଶା ଟୁଡେ): କାମିଆ ଜାନି ଓ 5T ଅଧ୍ୟକ୍ଷ ପାଣ୍ଡିଆନଙ୍କ ଭିଡ଼ିଓକୁ ନେଇ ବଢୁଛି ବିବାଦ । ଭି.କେ. ପାଣ୍ଡିଆନ ଏବଂ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର କାମିଆ ଜାନିଙ୍କ ଗିରଫଦାରୀ ଦାବି କଲା ବିଜେପି । ଗୋମାଂସ ଭକ୍ଷଣ କରିଥିବା କାମିଆ ଜାନୀଙ୍କୁ ପାଣ୍ଡିଆନ ଶ୍ରୀମନ୍ଦିରକୁ ନେଇ ଭିଡିଓ କରିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଉପରେ ଆଘାତ ଦେଇଥିବା ଅଭିଯୋଗ ଆଣିଛି ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତି ଏନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । “ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିରରେ ଶାସକ ଦଳର ଜଣେ ନେତା କିଭଳି ଭାବେ ଗୋମାଂସ ଖାଉଥିବା ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ପାଇଁ ଏତେ ବଡ଼ ପଦକ୍ଷେପ ନେଲେ?” ବୋଲି ସେ ପ୍ରଶ୍ନ କରିଛନ୍ତି ।

“ଶ୍ରୀମନ୍ଦିର ପରିସରରେ ଭିଡ଼ିଓ କରି ଗଣମାଧ୍ୟମରେ ପ୍ରସାରିତ କରାଯାଇଛି ବୋଲି ଅଭିଯୋଗ କରିଛି ବିଜେପି । କୌଣସି ଗୋମାଂସ ଖାଉଥିବା ବ୍ୟକ୍ତି ଶ୍ରୀମନ୍ଦିରକୁ ଯାଇପାରିବେ ନାହିଁ । ତେଣୁ ଭି.କେ.ପାଣ୍ଡିଆନ କାମିଆ ଜାନିଙ୍କୁ ମନ୍ଦିରକୁ ନେଇ ଗର୍ହିତ ଅପରାଧ କରିଛନ୍ତି । ହିନ୍ଦୁଙ୍କ ଧାର୍ମିକ ଭାବନା ଉପରେ ଆଘାତ କରିଛନ୍ତି ପାଣ୍ଡିଆନ ଏବଂ କାମିଆ ଜାନୀ। ତେଣୁ IPC Section 295 A ଅନୁସାରେ ଭି.କେ. ପାଣ୍ଡିଆନ ଏବଂ କାମିଆ ଜାନିଙ୍କ ଉପରେ ମନ୍ଦିର ପ୍ରଶାସନ କେସ କରି ତୁରନ୍ତ ଗିରଫ କରନ୍ତୁ” ବୋଲି ଦାବି କରିଛି ବିଜେପି ।

ଏହାସହ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି, “ମନ୍ଦିର ଭିତରକୁ କ୍ୟାମେରା ନେଇ ସୁଟିଂ କରି ଶ୍ରୀଜଗନ୍ନାଥ ମନ୍ଦିର ଆଇନ 1952 section 30Aର ଉଲଂଘନ ହୋଇଛି । ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ କ୍ଷମା ପ୍ରାର୍ଥନା କରନ୍ତୁ । ଏହାସହ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇ ମନ୍ଦିର ଶୁଦ୍ଧି କରାଯାଉ ।” ନଚେତ୍ ବିଜେପି କୋର୍ଟଙ୍କ ଦ୍ବାରସ୍ଥ ହେବ ହୋଲି ଚେତାବନୀ ଦେଇଛି ବିଜେପି । ପୂର୍ବରୁ ମଧ୍ୟ ବିଜେପି ଏହାକୁ ନେଇ ପ୍ରତିକ୍ରିୟାରେ କହିଥିଲା, “ଜଗନ୍ନାଥଙ୍କୁ ସାରା ବିଶ୍ୱରେ ଲୋକମାନେ ଜାଣିଛନ୍ତି ଏବଂ ତାଙ୍କ ମହାପ୍ରସାଦକୁ ଜାଣିଛନ୍ତି। ଏହାକୁ ପ୍ରଚାର ଓ ପ୍ରସାର କରିବା ଆବଶ୍ୟକ ନାହିଁ। ଶ୍ରୀମନ୍ଦିରର ମହାପ୍ରସାଦକୁ ଟେଷ୍ଟ କରନ୍ତି ନାହିଁ, ଭକ୍ତମାନେ ଶ୍ରଦ୍ଧାରେ ନିଅନ୍ତି।”

Leave a Reply

Your email address will not be published. Required fields are marked *