ପଦ୍ମପୁର ଜିଲ୍ଲା ଘୋଷଣାକୁ ଝଟକା: ନୂଆଁ ଜିଲ୍ଲା ଘୋଷଣାରେ ହାଇକୋର୍ଟ ଙ୍କ ଅନୁମତି ଜରୁରୀ

କଟକ (ଓଡ଼ିଶା ଟୁଡେ): ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ। ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା, ଅଞ୍ଚଳର ପରିସୀମା, ପଛୁଆ ପ୍ରସଂଗକୁ ବିଚାରକୁ ନ ନେଇ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜିଲ୍ଲା ଗଠନ ନିଷ୍ପତ୍ତି ହେଉଥିବା ଅଭିଯୋଗ କରି ଦାୟର ମାମଲାକୁ ହାଇକୋର୍ଟ ଗ୍ରହଣ କରି ଏଭଳି ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ଏହାସହିତ ଏହି ମାମଲାରେ ବିଭିନ୍ନ ପକ୍ଷଙ୍କୁ ଜବାବ ତଲବ କରିଛନ୍ତି। ଜିଲ୍ଲା ପୁନର୍ଗଠନ ପ୍ରକ୍ରିୟା ପ୍ରସଂଗରେ ସରକାର ପଦକ୍ଷେପ ନେଇ ପାରିବେ, କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଏହି ପ୍ରସଂଗରେ କୌଣସି ଚୂଡ଼ାନ୍ତ ଆଦେଶ ପ୍ରଦାନ କରାଯାଇ ପାରିବନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ତଥା ରାଇରଙ୍ଗପୁର ବାର୍ ଆସୋସିଏସନ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଶୀତ ଅବକାଶର ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ବରଗଡ଼ ଜିଲ୍ଲା ଅଧୀନ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରସଂଗକୁ ଝଟକା ଲାଗିଛି।

ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସରକାରଙ୍କର ନୂଆ ଜିଲ୍ଲା ଗଠନ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ ବା ନିୟମ ନଥିବା ସ୍ପଷ୍ଟ ହୋଇଥିଲା। ଏହି ପ୍ରସଂଗରେ କେବଳ ୧୯୭୫ର ଜଷ୍ଟିସ ରାଜ କିଶୋର ଦାସ କମିଟି ଓ ୧୯୯୧ର କ୍ୟାବିନେଟ ସବ୍-କମିଟି ରିପୋର୍ଟକୁ ଆଧାର କରାଯାଉଛି। ନିକଟରେ କେଉଁ ନୂଆ ଜିଲ୍ଲାକୁ ସ୍ବୀକୃତି ଦିଆଯିବ,‌ ସେନେଇ ରେକର୍ଡ ନଥିବାରୁ ଏହି ପ୍ରସଂଗରେ ପକ୍ଷ ରଖିବାକୁ ସରକାର ଅଧିକ ସମୟ ଲୋଡ଼ିଥିଲେ। ଫଳରେ ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ହାଇକୋର୍ଟରେ ଦାୟର ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ ରାଇରଙ୍ଗପୁରକୁ ଜିଲ୍ଲା ମାନ୍ୟତା ଦାବି ବହୁ ପୁରୁଣା ହୋଇଥିବା ବେଳେ ସରକାର ଏହି ପ୍ରସଂଗକୁ ବିଚାରକୁ ନ ନେଇ ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ୧୯୭୩ ଜାନୁଆରି ୨୫ରେ ରାଜ୍ୟ ସରକାର ଜଷ୍ଟିସ ରାଜ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପୁନର୍ଗଠନ କମିଟି ଗଠନ କରିଥିବା ବେଳେ ୧୯୭୫ ସେପ୍ଟେମ୍ବର ୨୯ରେ ରିପୋର୍ଟ ଦାଖଲ ହୋଇଥିଲା। ଏଥିରେ କେତେକ ଗାଇଡ୍‌ଲାଇନ ପାଳନ ପାଇଁ କୁହାଯାଇଥିଲା। ନୂଆ ଜିଲ୍ଲା ଗଠନ ପାଇଁ ୧୫ରୁ ୨୦ ଲକ୍ଷ ଜନସଂଖ୍ୟା, ସର୍ବନିମ୍ନ ୧୫ହଜାର ବର୍ଗ କି.ମି. ଅଞ୍ଚଳ(କେତେକ ପରିସ୍ଥିତିରେ ‌କୋହଳ ଯୋଗ୍ୟ), ଅର୍ଥନୈତିକ ସ୍ଥିତି ଓ ପଛୁଆ ପ୍ରସଂଗ ବିଚାରକୁ ନିଆଯିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ୧୯୯୧ ମେ ୨୮ରେ ଗଠିତ କ୍ୟାବିନେଟ ସବ୍-କମିଟିର ଅନୁ ମୋଦନ ଆଧାରରେ ରାଜ୍ୟ ରାଜସ୍ବ ଓ ଅବକାରୀ ବିଭାଗ ୧୯୯୨ ଅକ୍ଟୋବର ୧, ୧୯୯୩ ମାର୍ଚ୍ଚ ୨୭ ଓ ଡିସେମ୍ବର ୨୨ରେ ବିଜ୍ଞପ୍ତି ଜାରି କରି ଯଥାକ୍ରମେ ୪, ୧୦, ୩ଟି ନୂଆ ଜିଲ୍ଲା ଗଠନ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା। ଫଳରେ ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି ପାଇଥିଲା। ରାଇରଙ୍ଗପୁର ଜିଲ୍ଲା ଦାବି ବହୁ ପୁରୁଣା ହୋଇଥିବା ବେଳେ କ୍ୟାବିନେଟ ସବ୍-କମିଟି ଏହି ପ୍ରସଂଗକୁ ସେତେବେଳେ ବିଚାରକୁ ନେଇ ନଥିଲା। ରାଜନୈତିକ ନିଷ୍ପତ୍ତି ଆଧରରେ ନୂଆ ଜିଲ୍ଲା ଗଠନ ପାଇଁ ସେତେବେଳେ ନିଷ୍ପତ୍ତି ନିଆଯାଇଥିଲ।

ପରବର୍ତ୍ତୀ ସମୟରେ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ଆଧାରରେ ପଦ୍ମପୁରକୁ ନୂ୍ଆ ଜିଲ୍ଲା ଭାବେ ମାନ୍ୟତା ଦେବା ପାଇଁ ସରକାରୀ ସ୍ତରରେ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି। ଅନ୍ୟପକ୍ଷରେ ରାଇରଙ୍ଗପୁର ଜିଲ୍ଲା ଦାବି ନେଇ ପୂର୍ବରୁ ରହିଥିବା ଦାବିକୁ ବିଚାରକୁ ନ ନେଇ ପଦ୍ମପୁର ପ୍ରସଂଗରେ ବିଚାର କରାଯିବା ଉଚିତ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ବରଗଡ଼ ଥିବା ବେଳେ ଏହା ନୂଆ ଜିଲ୍ଲା ମାନ୍ୟତା ନବେ ଦଶକରେ ପାଇଥିଲା। ଏବେ ପୁଣି ବରଗଡ଼ ଜିଲ୍ଲାରେ ଥିବା ପଦ୍ମପୁରକୁ ନୂଆ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଅନ୍ୟପକ୍ଷରେ ପୂର୍ବର ପୁନର୍ଗଠନ ବେଳେ ମୟୂରଭଞ୍ଜ ଜିଲ୍ଲା ପ୍ରସଂଗକୁ ବିଚାରକୁ ନିଆଯାଇ ନଥିଲା। ସ୍ବାଧୀନତା ପର ସମୟରୁ ରାଇରଙ୍ଗପୁର ଜିଲ୍ଲା ଦାବି ରହିଥିବା ବେଳେ ଏଥର ମଧ୍ୟ ସରକାର ଏହି ପ୍ରସଂଗକୁ ଅଣଦେଖା କରୁଛନ୍ତି। ସରକାର ନିୟମାବଳୀ ନିର୍ଦ୍ଧାରଣ କରି ଜିଲ୍ଲା ପୁନର୍ଗଠନ ପ୍ରସଂଗରେ ନିଷ୍ପତ୍ତି ନେବା ଉଚିତ।

ଜିଲ୍ଲା ପୁନର୍ଗଠନ ପାଇଁ ହାଇକୋର୍ଟର କାର୍ଯ୍ୟରତ ବା ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ। ଏଭଳି କମିଟି ଜିଲ୍ଲା ପୁନର୍ଗଠନ ଓ ନୂଆ ଜିଲ୍ଲା ଦାବି ଅନୁଧ୍ୟାନ କରିବ। କମିଟି ରିପୋର୍ଟ ଆଧାରରେ ଜିଲ୍ଲା ପୁନର୍ଗଠନ ପ୍ରସଂଗରେ ସରକାର ନିଷ୍ପତ୍ତି ନେବା ଉଚିତ ହେବ। ବାମନଘାଟି (ରାଇରଙ୍ଗପୁର), ପଞ୍ଚପିଡ (କରଞ୍ଜିଆ) ସବଡିଭିଜନକୁ ଅନ୍ତର୍ଭୁକ୍ତ କରି ରାଇରଙ୍ଗପୁରକୁ ଜିଲ୍ଲା ଭାବେ ଘୋଷଣା କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ମୁଖ୍ୟ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ, ଉତ୍ତରାଞ୍ଚଳ ଆରଡିସି ଓ ବରଗଡ଼ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି ।

Leave a Reply

Your email address will not be published. Required fields are marked *