
ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀଉଦ୍ୟାନ, ଷ୍ଟେଟ୍ ବଟାନିକାଲ ଗାର୍ଡେନ୍ ପରେ ଆଜିଠୁ ମାର୍ଚ୍ଚ ୩୧ ଯାଏ ପର୍ଯ୍ୟଟକଙ୍କ ପାଇଁ ଧଉଳି ବନ୍ଦ ନେଇ ଘୋଷଣା ହୋଇଛି। ଏହାସହ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତଙ୍କ ସୂଚନା ଦେଇଛନ୍ତି।
ସେଣ୍ଟ୍ରାଲ୍ ଜୁ ଅଥରିଟିଙ୍କ ନିର୍ଦ୍ଦେଶକ୍ରମେ ସଚେତନତା ବୃଦ୍ଧି ଲାଗି ନନ୍ଦନକାନନ ପ୍ରାଣୀଉଦ୍ୟାନ ପରିସରରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ପ୍ରାଣୀଉଦ୍ୟାନରେ କାମ କରୁଥିବା ଲୋକଙ୍କୁ ମାସ୍କ ପିନ୍ଧିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ଶ୍ରୀମନ୍ଦିରରେ ପୂଜା ବେଳେ ମୁଖା ପିନ୍ଧିବେ ସେବାୟତ। କରୋନା ସତର୍କତାକୁ ନେଇ ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଏଥିସହ ଏଠାକୁ ଆସୁଥିବା ଦର୍ଶନାର୍ଥୀ ନିଜ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମରେ ତଥ୍ୟ ଦେବା ବାଧ୍ୟତାମୂଳକ କରାଯାଇଛି।
ଅରୁଣସ୍ତମ୍ଭ, ଗରୁଡ଼ସ୍ତମ୍ଭ ଓ ଦେବାଦେବୀଙ୍କୁ ଛୁଇଁବା ମଧ୍ୟ ବାରଣ କରାଯାଇଛି । ଏମିତିକି ପୂଜାପଣ୍ଡା ସେବକ ଠାକୁରଙ୍କ ସେବା କରିବା ବେଳେ ମୁହଁରେ ମୁଖା ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏପଟେ କୋଣାର୍କ ସୂର୍ଯ୍ୟ ମନ୍ଦିର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି ।
ସେହିପରି ମାର୍ଚ୍ଚ ୩୧ ଯାଏ ରାଜ୍ୟର ସବୁ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଘୋଷଣା କରିଥିଲେ। ଏହାସହ ସିନେମା ହଲ୍ ଓ ସୁଇମିଂ ପୁଲ୍ ମଧ୍ୟ ବନ୍ଦ କରିବାକୁ ଘୋଷଣା ହୋଇଛି।