
ଦୁବାଇ : ଭାରତ ବିଜୟ ପାଇଁ 128 ରନର ଟାର୍ଗେଟ ଦେଲା ପାକିସ୍ତାନ । ପାକିସ୍ତାନ ସମସ୍ତ 20 ଓଭର ଖେଳି 9 ୱେକେଟ ହରାଇ 127 ରନ କରିବାକୁ ସକ୍ଷମ ହୋଇଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପର ଭାରତ-ପାକିସ୍ତାନ ମୁକାବିଲାରେ ପାକିସ୍ତାନ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନହେବା ପରେ ପାକିସ୍ତାନ 130 ରନ ପାର କରିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା, ଯାହାକୁ ଟିମ ଇଣ୍ଡିଆ ସତ୍ୟରେ ପରିଣତ କରିଦେଲେ ।
ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ଭାରତୀୟ ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚର ପ୍ରଥମ ଓଭରରେ ହିଁ ସଇମ ଆୟୁବଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ। ପାଣ୍ଡ୍ୟାଙ୍କ ବଲକୁ ଖେଳିବାକୁ ଯାଇ ଆୟୁବ ବୁମରାଙ୍କ ହାତରେ ଧରା ପଡ଼ିଥିଲେ । ସେହିପରି ୨ୟ ଓଭରରେ ବୁମରାଙ୍କ ବଲକୁ ଖେଳିବାକୁ ଯାଇ ମହମ୍ମଦ ହ୍ୟାରିସ ପାଣ୍ଡ୍ୟାଙ୍କ ହାତରେ ଆଉଟ ହୋଇଥିଲେ ।
ସେ ମାତ୍ର ୩ ରନ କରିଥିଲେ । ଏହିପରିଭାବେ ମାତ୍ର ୬ ରନରେ ପାକିସ୍ତାନ ୨ଟି ଓ୍ବିକେଟ ହରାଇଥିଲା । ଏହି ଦୁଇ ବୋଲରଙ୍କ ପରେ ଅକ୍ଷର ପଟେଲ ୨ଟି ଓ କୂଳଦୀପ ଯାଦବ ୩ଟି ଓ୍ବିକେଟ ନେଇ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ପାକିସ୍ତାନ ଗୋଟେ ପରେ ଗୋଟେ ୱେକେଟ ହରାଇ ଚାଲିଥିଲା ।
ପାକିସ୍ତାନ ପକ୍ଷରୁ ସାହିବଜାଦା ଫରହନ ୪୦ ରନ କରିଥିବାବେଳେ ଶାହିନ ଆଫ୍ରିଦି ୩୩ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୨୭ ରନ କରିଥିଲା । କୂଳଦୀପ ଯାଦବ ୩ଟି ଓ୍ବିକେଟ ନେଇଥିବାବେଳେ ବୁମରା ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ବରୁଣ ଚକ୍ରବର୍ତ୍ତି ଓ ପାଣ୍ଡ୍ୟା ୧ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।