ଘୁମୁସର ଲେଖିକା ସଂସଦର ବୋଇତ ବନ୍ଦାଣ ଉତ୍ସବ

ଭଞ୍ଜନଗର ୦୫/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ସର୍ବଦା ଚେଷ୍ଟିତ ଘୁମୁସର ଲେଖିକା ସଂସଦ ପୂଣ୍ୟ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ଭସାଇବା ଉତ୍ସବ ପାଳନ କରିଅଛି। ସଂସଦର ସଭ୍ୟାମାନେ ଭଞ୍ଜନଗର ନିକଟସ୍ଥ କୁଲାଡ ଗ୍ରାମର ବାଘ ନଦୀରେ ରୀତିନୀତି ଅନୁଯାୟୀ ଏକ ଭାବ ଭକ୍ତିମୟ ପରିବେଶରେ ବାଲୁକା ଥାପି ପୂଜା ବନ୍ଦାପନା କରିବା ସହ କଦଳୀ ପାଟୁଆ ବୋଇତରେ ପାନ,ଗୁଆ,ଦୀପ, ଧୂପ ଦେଇ “ଆ କା ମା ବୈ ପାନ ଗୁଆ ଥୋଇ , ପାନ ଗୁଆ ତୋର ମାସକ ଧରମ ମୋର” ଗୀତ ଗାଇ ବୋଇତ ଭସାଇ ଥିଲେ ଏବଂ ପ୍ରାଚୀନ ଓଡ଼ିଶାର ସାଧବ ପୁଅର ବୋଇତରେ ବାଣିଜ୍ୟ କରିବାକୁ ଯାଇ ଦୂର ଦେଶରୁ କିପରି ଧନ ସଂପତ୍ତି ବୋହି ଆଣୁଥିଲେ ସେ ସଂପର୍କରେ ଆଲୋଚନା କରିଥିଲେ । ଆମର ପରମ୍ପରାକୁ ଏପରି ବଜାୟ ରଖିବା ସହ ନୂତନ ପୀଢ଼ି ଯେପରି ଆମର ସଂସ୍କୃତି ପରମ୍ପରାକୁ ଜାଣି ଆଗକୁ ଉତ୍ତର ପୀଢ଼ି ପାଖରେ ପହଞ୍ଚାଇବେ ସେଥିପ୍ରତି ସଚେତନତା ସୃଷ୍ଟି କରିବାକୁ ହେବା ଉପରେ ଜୋର ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ସଂପାଦିକା ଡଃ ନଳୀନୀ ପ୍ରଭା ଦାସ, ସାଂଗଠନିକ ସଂପାଦିକା ଡା ଗାୟତ୍ରୀ ସାହୁ, କୋଷାଧ୍ୟକ୍ଷା ଗୀତାଶ୍ରୀ ସାମନ୍ତ,ଉଷ୍ମିତା ମଞ୍ଜରୀ ଦାଶ, ସ୍ନେହଲତା ବିଷୋୟୀ, ରୁନୁବାଳା ଦାଶ, ବର୍ଷା ନାୟକ, ନୀରଜା କୁମାରୀ ତ୍ରିପାଠୀ, ରଜନୀ ସେଠୀ, ଶୁଭସ୍ମିତା ଦାଶ ଆଦି ମିଳିତ ସହଯୋଗରେ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।