ଭଞ୍ଜନଗର: ଡେରାବେଶରେ ଉତ୍ସବମୁଖର ବଡକୋଦଣ୍ଡା

ଭଞ୍ଜନଗର ୦୫/୧୧ ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବଡକୋଦଣ୍ଡାରେ ବିଶ୍ବ ପ୍ରସିଦ୍ଧ ଡେରା ବେଶ ଅନୁଷ୍ଠିତ ହୋଇଛି। ଗ୍ରାମର ବହୁ କଳାକଳାରଙ୍କ ଦ୍ବାରା ହାଲୁକା କାଠରେ ନିର୍ମିତ ରଙ୍ଗବେରଙ୍ଗର କପଡା ଓ ଅଳଙ୍କାରରେ ସଜାଇ ହାତୀ, ବାଘ, ବୃଷଭ, ଘୋଡା, ଶ୍ରୀରାମ, ଲକ୍ଷ୍ମଣ, ହନୁମାନ, ରାବଣ, କୁମ୍ଭକର୍ଣ୍ଣ, ରାଜା-ରାଣୀ, ନବଗୁଞ୍ଜର, ମୟୂର, ଗରୁଡ, ହଂସ, ଛେଳି ଓ କଳଘୋଡା ପ୍ରଭୃତି ଦେଖିବାକୁ ମିଳିଥିଲା। ଗ୍ରାମର ଉଭୟ ପାର୍ଶ୍ଵର ଗୋପୀନାଥ ମନ୍ଦିର ଓ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ମଧ୍ୟ ଭାଗରେ ଏହି ସବୁ ଚିତ୍ତାକର୍ଷକ ପଶୁପକ୍ଷୀ ଓ ପୁରାଣ ପୁରୁଷଙ୍କ ବେଶ ଡେରା କରି ରଖା ଯାଇଥିଲା। ଏହି ଡେରା ବେଶ ଦେଖିବା ପାଇଁ ଆଖାପାଖ ଗ୍ରାମ ସମେତ ଦୂର ଦୁରାନ୍ତରୁ ବହୁ ସଂଖ୍ୟାରେ ଲୋକ ଏହି ଗ୍ରାମକୁ ଛୁଟି ଆସିଥିଲେ। ମନ୍ଦିରମାଳିନି ଗ୍ରାମ ବଡକୋଦଣ୍ଡା ଡେରା ବେଶରେ ବେଶ୍ ଉତ୍ସବ ମୁଖରିତ ହୋଇ ଉଠିଥିଲା।

ସମଗ୍ର ବିଶ୍ବରେ ବେଶ୍ ପରିଚୟ ସୃଷ୍ଟି କରିଥିବା ଏହି ଗ୍ରାମର ପଶୁମୁଖା ନୃତ୍ୟ କଳାକାରଙ୍କ ନିଖୁଣ କଳାକୃତିର ମହିମାକୁ ସର୍ବସାଧରଣରେ ପ୍ରଦର୍ଶନ କରିବା ନିମନ୍ତେ ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ନିଜ ନିଜ ଅନୁଷ୍ଠାନର ସମସ୍ତ ବେଶକୁ ଗାଁ ମଧ୍ଯକୁ ଆଣି ଦିନ ତମାମ ଡେରା ପକାଇ ରଖିଥାନ୍ତି। ଏହା କ୍ରମଶଃ ଏକ ପରମ୍ପରାରେ ପରିଣତ ହୋଇଥିବା ଗ୍ରାମର କଳାକାରମାନେ ପ୍ରକାଶ କରିଛନ୍ତି। ଗ୍ରାମର କଣ୍ଢେଇନାଚ ମଧ୍ୟ ଅନ୍ୟାନ୍ୟ ମହାନ୍‌ କଳାର ନିଦର୍ଶନ ବୋଲି କୁହାଯାଇଛି। ଡେରା ବେଶ ଦେଖିବାକୁ ଆସିଥିବା ଜନସାଧାରଣ କଳାକାରଙ୍କ ଏହନି ଅନନ୍ୟ ବେଶକୁ ପ୍ରଶଂସା କରିଥିଲେ।
ସମଗ୍ର ଭାରତ ବର୍ଷରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବଡକୋଦଣ୍ଡା ଗ୍ରାମର ଏହି ପଶୁମୁଖା ନୃତ୍ୟ ଓ ବିଭିନ୍ନ ବେଶଭୂଷା କଣ୍ଢେଇ ଖେଳର କଳାକୃତି ଆଜି ସରକାରୀ ପ୍ରୋତ୍ସାହନ ଅଭାବରୁ ଆଗକୁ ବଢିବାରେ ଘୋର ପ୍ରତିବନ୍ଧକ ସୃଷ୍ଟି କରିଛି।