ଭଞ୍ଜନଗରରେ ଛାତ୍ରଛାତ୍ରୀଙ୍କୁ ଆଇନ ସଚେତନତା

ଭଞ୍ଜନଗର ୨୩/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ତାଲୁକ ଆଇନ ସେବା କମିଟି, ଭଞ୍ଜନଗରର ଆୟୋଜନରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ୍, ଭଞ୍ଜନଗର ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ଅଧ୍ୟକ୍ଷ, ତାଲୁକ ଆଇନ ସେବା କମିଟି ସେଖ୍ ମହମ୍ମଦ କଏସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋକ୍ସ ଆଇନ୍ (କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡନ ନିରୋଧ ଆଇନ୍), ସାମ୍ବିଧାନିକ ଅଧିକାର ଓ ନାଗରିକଙ୍କ କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଆଇନ ବିଷୟରେ ସଚେତନତା ଥିଲେ ମାତ୍ର ସମାଜରେ ନ୍ୟାୟ ଓ ସମତା ପ୍ରତିଷ୍ଠା ହୋଇପାରିବ।
ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ଭିୟେନା ନାୟକ ତାଙ୍କ ଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଆଇନଗତ ଅଧିକାର ସହ ସହିତ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ରହିବାକୁ ଆହ୍ୱାନ କରିଥିଲେ। ସେ ମହିଳା ସୁରକ୍ଷା, ସମ୍ମାନ ଓ କାର୍ଯ୍ୟସ୍ଥଳରେ ସୁରକ୍ଷିତ ପରିବେଶର ଗୁରୁତ୍ୱ ଉପରେ ଜୋର ଦେଇଥିଲେ।
ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ଼ା. ଦୀପକ କୁମାର ମିଶ୍ର ପୋଲିସ ବ୍ୟବସ୍ଥା, ଆଇନ ରକ୍ଷାରେ ନାଗରିକଙ୍କ ଭୂମିକା ଓ ଅପରାଧ ପ୍ରତିରୋଧରେ ସମାଜିକ ସହଯୋଗର ଆବଶ୍ୟକତା ବିଷୟରେ କଥା ରଖିଥିଲେ। ସେ ଆପାତକାଳୀନ ସ୍ଥିତିରେ ପୋଲିସ ସହ କିପରି ସମ୍ପର୍କ କରିବା ଯାଉଚି, ସେଥିପାଇଁ ମଧ୍ୟ ସଚେତନ କରିଥିଲେ।
ଆଇନ ସହାୟତା ସଦସ୍ୟ ଡ଼ା. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ମାଗଣା ଆଇନ ସହାୟତା ସେବା, ଲୋକ ଆଦାଲତ ଓ ଆଇନ ସେବା ପ୍ରାପ୍ତି ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଥିଲେ। ଅଲକା ମଞ୍ଜରୀ ପଟ୍ଟନାୟକ ମହିଳା ଓ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ଆଇନଗତ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ।
କଲେଜର ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର କୁମାର ଦାଶ ସମସ୍ତ ଅତିଥିଙ୍କୁ ସ୍ୱାଗତ କରି କଲେଜରେ ଏପରି ଆଇନ ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଉପକାରୀ ବୋଲି ମତ ପ୍ରକାଶ କରିଥିଲେ। କଲେଜର ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକା ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇ ଲାଭାନ୍ୱିତ ହୋଇଥିଲେ।