
ଭଞ୍ଜନଗର ୨୭/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲ୍ଲାର କରିବାକୁ ଦୀର୍ଘଦିନ ଦାବି ହୋଇ ଆସୁଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ଦୀର୍ଘ ଦିନ ସ୍ବର ଉତ୍ତୋଳନ ସହ ‘ଘୁମୁସର ବାହିନୀ’ ପକ୍ଷରୁ ବିଭିନ୍ନ ସମୟରେ ଚିଠି ଲେଖା ଅଭିଯାନ ଅନୁଷ୍ଠିତ ହେଉଛି। ସାଧାରଣତନ୍ତ୍ର ଦିବସ ଓ ଗଣତନ୍ତ୍ର ଦିବସରେ ଜେଲ ପଡିଆ ନିକଟରେ ଏଭଳି ପଦକ୍ଷେପ ନିଆଯାଉଥିବା ବେଳେ ଚଳିତ ଥର ମଧ୍ୟ ଅନୁଷ୍ଠିତ ହୋଇଛି। ଏଥିରେ ଭଞ୍ଜନଗର ସହର ସମେତ ଗ୍ରାମାଞ୍ଚଳର ଜନସାଧାରଣ ବହୁ ସଂଖ୍ୟାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀଙ୍କୁ ଭଞ୍ଜନଗର ଉପଖଣ୍ଡକୁ ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ମାନ୍ୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି। ଆଗକୁ ସଚେତନତା ସୃଷ୍ଟି ସହ ଚିଠି ଲେଖା ଅଭିଯାନ ଓ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଘୁମୁସର ବାହିନୀ ସଦସ୍ୟ ନଚିକେତା ପ୍ରଧାନ,ମାଧବ ନାୟକ,ଅରକ୍ଷିତ ପରିଚ୍ଛା ପ୍ରକାଶ କରିଛନ୍ତି। ଭଞ୍ଜନଗର ଉପଖଣ୍ଡର ୮ ବ୍ଳକ ଓ ୫ ଟି ଏନଏସିକୁ ନେଇ ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଗଠନ ନିମନ୍ତେ ବିଭିନ୍ନ ସଙ୍ଗଠନ ଦୀର୍ଘ ବର୍ଷର ଏହି ପ୍ରସ୍ତାବ ନେଇ ସ୍ବରୋତ୍ତଳନ କରି ଆସୁଅଛନ୍ତି। ଏଥି ସହିତ ବିଭିନ୍ନ ସମୟରେ ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ,ଦକ୍ଷିଣାଞ୍ଚଳ ଆର ଡିସି ସରକାରଙ୍କୁ ଜିଲ୍ଲା ଗଠନର ଯଥାର୍ଥତା ରହିଥିବା ନେଇ ସରକାରଙ୍କୁ ଅବଗତ କରିଛନ୍ତି। ଓଡ଼ିଶାର ବୃହତ୍ତ ଉପଖଣ୍ଡ ଭଞ୍ଜନଗରକୁ ଘୁମୁସର ଜିଲ୍ଲା ମାନ୍ୟତା ପ୍ରଦାନ କରିବାକୁ ଘୁମୁସର ବାହିନୀ ଦାବି କରିଛି।