
ଭଞ୍ଜନଗର ୨୭/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଲକ କୁଲାଡ଼ ପଞ୍ଚାୟତର ଗଜାପଦର ଗ୍ରାମର ରାଜେନ୍ଦ୍ର କୁମାର ନାଇକ। ବେଲଗୁଣ୍ଠା କଲେଜରେ ଯୁକ୍ତତିନି ପଢ଼ୁଥିବା ରାଜେନ୍ଦ୍ରଙ୍କ ଅନନ୍ୟ ପ୍ରତିଭା ଏବେ ଚର୍ଚ୍ଚାରେ। ଫୋଟକୁ ଦେଖି ପେନ୍ସିଲରେ ଅବିକଳ କାହାର ମଧ୍ୟ ଚିତ୍ର ଆଙ୍କି ଦେଉଛନ୍ତି। କାନଭାସରେ ପେନ୍ସିଲ ଚାଳନାରେ ସେସବୁ ଚିତ୍ରକଳା ଅତି ଜୀବନ୍ତ ହୋଇଉଠେ। ଦେଖିଲେ ଯେମିତି ଲାଗେ,ତାଙ୍କ ପାଖରେ କୌଣସି ଯାଦୁ ଅଛି। ଆଜିସୁଦ୍ଧା ରାଜେନ୍ଦ୍ର ବିଭିନ୍ନ ଦେବଦେବୀଙ୍କ ଠାରୁ ଆରମ୍ଭ କରି ଅନେକ ସିନେତାରକା, କ୍ରିକେଟର ଖେଳାଳି ଏବଂ ପୋଲିସ ସମେତ ବିଭିନ୍ନ ବିଭାଗର ପଦାଧିକାରୀଙ୍କ ଅବିକଳ ଚିତ୍ର ଆଙ୍କି ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି। ପିଲାଟି ଦିନରୁ ତାଙ୍କର ଚିତ୍ରକଳା ପ୍ରତି ଦୁର୍ବଳତା ରହିଥିବାବେଳେ ବୟସ ବଢିବା ସାଙ୍ଗକୁ ଏବେ ଏହା ନିଶାରେ ପରିଣତ ହେବାରେ ଲାଗିଛି। ଏଥିପାଇଁ ପରିବାରବର୍ଗ ଓ ସାଙ୍ଗସାଥି ତାଙ୍କୁ ଉତ୍ସାହିତ କରି ଆସୁଛନ୍ତି। ବର୍ତ୍ତମାନ କାହାରବି ଫୋଟ ଦେଖି ସେ ଅବିକଳ ଚିତ୍ର ଆଙ୍କିବାକୁ ୩ଘଣ୍ଟା ସମୟ ନେଉଛନ୍ତି। ଯାହାର ଚିତ୍ର ଆଙ୍କି ଦିଅନ୍ତି ସେମାନେ କାଗଜ ଆଉ ପେନ୍ସିଲରେ ଅବିକଳ ଚିତ୍ର ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି ବୋଲି ସ୍ବେଛାସେବୀ ଅରକ୍ଷିତ ପରିଛା ପ୍ରକାଶ କରିଛନ୍ତି। ରାଜେନ୍ଦ୍ରଙ୍କ ବାପା ଜଣେ ଚାଷୀ ହୋଇଥିବା ବେଳେ ସମସ୍ତଙ୍କ ସହଯୋଗ ଯୋଗୁଁ ସେ ପ୍ରତିଦିନ ବିଭିନ୍ନ ନୂଆ ଚିତ୍ର ଆଙ୍କିବା ଦିଗରେ ପ୍ରେରଣା ପାଇଛନ୍ତି ବୋଲି କହିଛନ୍ତି। ପ୍ରୋତ୍ସାହନ ମିଳିଲେ ଆଗକୁ ଜଣେ ଦକ୍ଷ ଚିତ୍ରକର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ଆଶା ରଖିଛନ୍ତି। ଏପରିକି ନିଜ ଘରକୁ ରଙ୍ଗବେରଙ୍ଗ ଚିତ୍ରରେ ସଜାଇଛନ୍ତି। ସ୍କୂଲରେ ପଢ଼ୁଥିବାବେଳେ ବିଭିନ୍ନ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭଗନେଇ ପୁରସ୍କୃତ ହୋଇଛନ୍ତି। ଦାଦା କାନ୍ଥରେ ଚିତ୍ର ଆଙ୍କୁଥିବା ଦେଖି ତାଙ୍କ ସହ ମିଶି ଚିତ୍ର ଆଙ୍କିବା ଶିଖିଥିଲେ। ରାଜେନ୍ଦ୍ରଙ୍କୁ ଆର୍ଟ କଲେଜରେ ଶିକ୍ଷା ଆହରଣ ପାଇଁ ସରକାରୀ ସହାୟତା ମିଳିଲେ ତାଙ୍କ ପ୍ରତିଭା ଆହୁରି ବିକଶିତ ହୋଇପାରିବ ବୋଲି ସ୍ବେଛାସେବୀ ଅରକ୍ଷିତ କହିଛନ୍ତି। ରାଜେନ୍ଦ୍ରଙ୍କ ଅବିକଳ ଚିତ୍ର ଅଙ୍କନ ଭଞ୍ଜନଗର ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।