ପଦ୍ମଶ୍ରୀ ଶ୍ରୀ ଉତ୍ସବ ଚରଣ ଦାସଙ୍କ ବିୟୋଗ

ଚୌଦ୍ୱାର -( ଶିବବ୍ରତ ଦାସ )ବିଶିଷ୍ଟ ଘୋଡ଼ାନାଚ କଳାକାର ଡ. ଉଚ୍ଛବ ଚରଣ ଦାସଙ୍କ ପରଲୋକ ହୋଇଯାଇଛି। ଅସୁସ୍ଥତା କାରଣରୁ ଚୌଦ୍ବାରର ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଥିବାବେଳେ କଳା କ୍ଷେତ୍ରରେ ଅବଦାନ ପାଇଁ ୨୦୨୧ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ। ପାରମ୍ପରିକ ଘୋଡ଼ାନାଚକୁ ଉଜ୍ଜୀବିତ ରଖିବାରେ ତାଙ୍କର ବିଶିଷ୍ଟ ଅବଦାନ ଥିଲା।
ଉଲ୍ଲେଖ ଥାଉ କି ଟାଙ୍ଗି ମଣିଆ ଗାଁରେ ଡ. ଦାସଙ୍କ ଜନ୍ମ। କିନ୍ତୁ ପିଲାଟି ବେଳୁ ସେ କଟକଜିଲ୍ଲା ଚୌଦ୍ବାରରେ ରହି ପାଠ ପଢୁଥିଲେ। ଅଷ୍ଟମ ଶ୍ରେଣୀରେ ପଢ଼ିବା ସମୟରେ ଘୋଡ଼ାନାଚ କରିବାକୁ ସଂକଳ୍ପ ନେଇଥିବା ଏହି କଳାକାର ବର୍ଷସାରା କିଭଳି ଘୋଡ଼ାନାଚ ପ୍ରଦର୍ଶିତ ହୋଇପାରିବ, ଗାଁଠାରୁ ବିଦେଶ, ଯେଭଳି ଘୋଡ଼ାନାଚ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ, ସେ ନେଇ ଅହରହ ଉଦ୍ୟମ ଜାରି ରଖିଥିଲେ।
ଓଡ଼ିଶାର ପାରମ୍ପରିକ ଲୋକକଳା ‘ଚଇତି ଘୋଡ଼ା ନାଚ’କୁ ବିଶ୍ୱ ଦରବାରରେ ପହଞ୍ଚାଇଥିବା ବିଶିଷ୍ଟ କଳାକାର ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ବିୟୋଗ ଖବର ଆଜି ଅଂଚଳବାସୀଙ୍କୁ ଦୁଃଖିତ ଓ ମର୍ମାହତ କରିଛି । ନିଜର ନିଖୁଣ ଅଭିନୟ ଓ ଗୀତିକବିତା ମାଧ୍ୟମରେ ଓଡ଼ିଶାର ଲୋକସଂସ୍କୃତିକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ ।
ମାଟ୍ରିକ୍‌ ପାସ୍‌ କରିବା ପରେ ୧୯୬୪ ମସିହାରେ ଘୋଡ଼ାନାଚ ଶିଖାଇବା ପାଇଁ ଏକ ଅନୁଷ୍ଠାନ ଆରମ୍ଭ କରିଥିଲେ। ସେ ସମୟରେ ଘରର ଅର୍ଥାଭାବ ଥିଲା। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା ପରିବାର। ପଢ଼ାପରେ ଚାକିରିର ସୁଯୋଗ ଆସିଥିଲେ ବି ଘୋଡ଼ାନାଚ ପାଇଁ ଏହାକୁ ପାଦରେ ଆଡ଼େଇ ଦେଇଥିଲେ। ଘୋଡ଼ାନାଚ ଶିଖାଇବା ସହ ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରେ, ଯେଉଁଠି ବି ଘୋଡ଼ାନାଚ ପ୍ରଦର୍ଶନ କରିବାର ସୁଯୋଗ ମିଳୁଥିଲା, ସେଠିକୁ ଚାଲିଯାଉଥିଲେ।ସ୍ବାସ୍ଥ୍ୟ ସଚେତନତା ହେଉ କି ଅନ୍ୟାନ୍ୟ ଉପାଦେୟ କଥାବସ୍ତୁ, ସବୁବେଳେ ଘୋଡ଼ାନାଚ ଜରିଆରେ ଜନସଚେତନତା ସୃଷ୍ଟି କରିବାର ସଦିଚ୍ଛା ରଖୁଥିଲେ।
ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ,ଡିସିପି ରିସିକେଶ ଖିଲାର ଙ୍କ ଉପସ୍ଥିତି ରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଥିଲା l ଏହା ସହ ଏକ ବିରାଟ ଶୋଭାଯାତ୍ରା ରେ ସହର ପରିକ୍ରମା କରିବା ସହିତ ଚୌଦ୍ୱାର ର ଘଡଘଡି ହୁଡ଼ା ସ୍ମଶାନ ରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା l ତାଙ୍କ ଦୁଇ ଝିଅ ସଂଘମିତ୍ରା ଦଳାଇ, ନନ୍ଦିତା ଦାସ ଉପସ୍ଥିତ ଥିଲା ବେଳେ ତାଙ୍କ ବଡ଼ ଜ୍ୱାଇଁ ଅନନ୍ତ କୁମାର ଦଳେଇ ମୁଖାଗ୍ନି ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ହିନ୍ଦ ସେବକ ସଙ୍ଘ ର ସଭାପତି ଶ୍ରୀ ଦାମୋଦର ସାହୁ, ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ, ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ, ପୌରାଧକ୍ଷା ମାନସୀ ସ୍ବର୍ଣ୍ଣପ୍ରଭା ସାମଲ, ରାଜ୍ୟ ଓବିସି ମୋର୍ଚା ର ସାଧାରଣ ସମ୍ପାଦକ ଇ ଜ୍ଞାନେନ୍ଦ୍ର ସ୍ୱାଇଁ, ପ୍ରେମଚାନ୍ଦ ନାୟକ, ବିଷ୍ଣୁ ଚରଣ ପରିଡା, ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ର ଅଧକ୍ଷ ତ୍ରିଦେବ ବେହେରା, ପ୍ରକାଶ ବଡ଼ଜେନା, ନୟନ ମହାନ୍ତି, ମୋନାଲିସା ଦାସ, ରାଜୀବ ମହାନ୍ତି ଙ୍କ ସମେତ ଅଂଚଳ ର ବହୁ ବୁଦ୍ଧିଜୀବୀ ମାନେ ଶୋକ ପ୍ରକାଶ କରିଥିଲେ l