ରାଜନୀତିରୁ ଊର୍ଦ୍ଧ୍ବରେ ରହି ମହିଳାଙ୍କ ପାଇଁ କାମ କରିବାକୁ ପଡ଼ିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସଶକ୍ତୀକରଣର ପ୍ରକୃତ ଅର୍ଥ ମହିଳାମାନଙ୍କୁ କିଛି ଆର୍ଥିକ ସାହାଯ୍ୟ ଦେବା ନୁହେଁ। ପରିବାର ତଥା ସାମାଜିକ ସ୍ତରରେ ନିଷ୍ପତ୍ତି ନେବାର ଅଧିକାର ହେଉଛି ଏହାର ପ୍ରକୃତ ଅର୍ଥ। ଓଡ଼ିଶାର ଅଧା ଜନସଂଖ୍ୟା ଅର୍ଥାତ୍‌ ସମଗ୍ର ମହିଳା ସମାଜକୁ ଅର୍ଥନୈତିକ, ସାମାଜିକ ତଥା ରାଜନୈତିକ ସ୍ତରରେ ସଶକ୍ତ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଯାହାଦ୍ୱାରା ମହିଳାମାନେ ସବୁ କ୍ଷେତ୍ରରେ ବ୍ୟକ୍ତିଗତ ଭାବେ ନିଷ୍ପତ୍ତି ନେବାରେ ସମର୍ଥ ହୋଇପାରିବେ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ‌ହଲ୍‌ରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାର ମହିଳା ସଶକ୍ତୀକରଣ ପାଇଁ ଏକ ଐତିହାସିକ ଓ ପଥପ୍ରଦର୍ଶନକାରୀ ‘ସୁଭଦ୍ରା’ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି। ଏଥିରେ କୋଟିଏ ମହିଳାଙ୍କ ସଶକ୍ତ ହେବାର ରାସ୍ତା ଖୋଲିଛି। ପୂର୍ବ ସରକାରଙ୍କୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ, ସରକାର ‘ସୁଭଦ୍ରା’ ଯୋଜନାରେ ଦିନକୁ ୨୭ ଟଙ୍କା ଦେଇ ବାହାବା ନେଉଥିବା କଥା ବିରୋଧୀ କହୁଛନ୍ତି। ମହିଳାମାନଙ୍କୁ ଆଗକୁ ଆଣିବା ପାଇଁ ୨୪ ବର୍ଷର ସରକାର ୨୪ ପଇସା ଦେଇଥିଲେ କି ? ଆମ ସରକାର ୫ ବର୍ଷରେ ୫୦ ହଜାର ଟଙ୍କା ଦେବେ। ସରକାର ଆସିବେ ଯିବେ, କିନ୍ତୁ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସମସ୍ତଙ୍କୁ ମହିଳାମାନଙ୍କ ପାଇଁ କାମ କରିବାକୁ ପଡ଼ିବ।ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସପୂର୍ବ ସରକାରକୁ ସମାଲୋଚନା, ୨୪ବର୍ଷରେ ୨୪ ପଇସା ଦେଇ ନ ଥିଲେମହିଳାମାନଙ୍କ ସୁରକ୍ଷା ପାଇଁ ‘ଶକ୍ତି’ ଆପ୍‌ର ଉନ୍ମୋଚନବାଲ୍ୟ ବିବାହ ରୋକିବା ପାଇଁ ‘ରାଜ୍ୟ ରଣନୀତିକ କାର୍ଯ୍ୟ ଯୋଜନା’ର ଶୁଭାରମ୍ଭମହିଳା ସଶକ୍ତୀକରଣ ପାଇଁ ‘କିଶୋରୀ ସୁଭଦ୍ରା’, ‘ସୁଭଦ୍ରା ସଞ୍ଚୟ’, ‘ସୁଭଦ୍ରା ସଖୀ’, ‘ସୁଭଦ୍ରା ଯାତ୍ରୀ’, ‘ସୁଭଦ୍ରା ସଂଘ (ସୁଭଦ୍ରା କ୍ଲବ), ‘କୁହ ସୁଭଦ୍ରା’ (କଲ୍ ସେଣ୍ଟର), ‘ସୁଭଦ୍ରା ସହଯୋଗୀ’, ‘ସୁଭଦ୍ରା ପଣ୍ଡିତ’ ଓ ‘ସୁଯୋଗ୍ୟ ସୁଭଦ୍ରା’ ଭଳି ନୂତନ ଯୋଜନା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏହି ଅବସରରେ ମହିଳା ସୁରକ୍ଷା ଓ ସେମାନଙ୍କ ନିରାପତ୍ତା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବ୍ୟାପୀ ‘ଶକ୍ତି’ ଆପ୍ ରୋଲ୍ ଆଉଟ୍ କରିଥିଲେ। ଏଥିରେ ଗୋଟିଏ କ୍ଲିକ୍‌ରେ ତୁରନ୍ତ ଜରୁରିକାଳୀନ ସୁରକ୍ଷା ସହାୟତା ପ୍ରଦାନ କରାଯିବ। ଏହାସହ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ରଣନୀତିକ କାର୍ଯ୍ୟ ଯୋଜନାର ଶୁଭାରମ୍ଭ କରିଥିଲେ। ୨୦୨୪ରୁ ୨୦୨୯ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ। ବାଲ୍ୟ ବିବାହ ରୋକିବା ଦିଗରେ ଏହା ସହାୟକ ହୋଇପାରିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ମହିଳାଙ୍କ ସମୃଦ୍ଧି ଓ ସଶକ୍ତୀକରଣ ପାଇଁ ସରକାର ପ୍ରତିବଦ୍ଧ ଅଛନ୍ତି। ସରକାର ବଦଳିଛି, ମହିଳାଙ୍କ ପାଇଁ ଏକ ନୂଆ ଦୁନିଆ ଦେବା ପାଇଁ ସମସ୍ତେ କାର୍ଯ୍ୟରତ ଅଛନ୍ତି। ମହିଳାଙ୍କ ସୁରକ୍ଷା ନ ହେଲେ ଅର୍ଥନୈତିକ ଓ ସାମାଜିକ ପ୍ରଗତି ଅସମ୍ଭବ ବୋଲି ସେ କହିଥିଲେ ।

ଏହି ଅବସରରେ ରାଜ୍ୟସ୍ତରରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ନବରଙ୍ଗପୁର ଦୌପଦୀ କହଁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନ୍ଦରଗଡ଼ ଶ୍ରୀବନ୍ତ ଜେନା, ରାୟଗଡ଼ାର ଅଙ୍ଗନବାଡ଼ି କର୍ମୀ ଯଶସ୍ୱିନୀ ମହାପାତ୍ର, ସୁନ୍ଦରଗଡ଼ ଜିଲ୍ଲାର ବିମଳା କିଶୋରୀ ଖେସ୍‍, ମୟୂରଭଞ୍ଜର ସ୍ମୃତିଲତା ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ଜିଲ୍ଲାସ୍ତରର ଖେଳକୁଦ ଓ ସଂଗୀତ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା କେନ୍ଦୁଝରର ଗୀତାଞ୍ଜଳୀ ନାୟକ, ପୁରୀର ସୁବ୍ରତାରାଣୀ ବେହେରା, ବଲାଙ୍ଗୀରର ସବିତା ବର୍ମା, ମାଲକାନରିର ବୈଦେହୀ ଦୁରୁ ଓ ମୟୂରଭଞ୍ଜର ଅଶ୍ରୁମଣି ହେମ୍ରମ୍‍ଙ୍କୁ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧିତ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ନାୟକ ଗ୍ରାମାଞ୍ଚଳରେ ମାତୃ ଓ ଶିଶୁ ମୃତ୍ୟୁହାର ସହିତ ବାଲ୍ୟ ବିବାହ ରୋକିବା ଦିଗରେ ତାଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ଉନ୍ନୟନ କମିସନର ଅନୁ ଗର୍ଗ, ୟୁନିସେଫ୍‍ କ୍ଷେତ୍ର ସେବା ମୁଖ୍ୟ ସୋଲେଡାଡ୍‍ ହେରେରୋ ନିଜର ଅଭିଭାଷଣ ରଖିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ସ୍ୱାଗତ ଭାଷଣ ଓ ନିର୍ଦ୍ଦେଶିକା ଆଇସିଡିଏସ୍‌ ମୋନିଷା ବାନାର୍ଜୀ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *