ଗୃହ କାର୍ଯ୍ୟ ବର୍ଜନ କଲା କଂଗ୍ରେସ: ତାରାଙ୍କ ନିଲମ୍ବନ ନିଷ୍ପତ୍ତିର ପ୍ରତିବାଦ, ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ବିଜେଡି ବି ଦାବି କଲା

ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବିତ କରାଯାଇଛି। ଏହାର ପ୍ରତିବାଦ କରି ଆଜି ବିଧାନସଭା ବର୍ଜନ କରିଛି କଂଗ୍ରେସ। ଆଜି ପୂର୍ବାହ୍‌ଣରେ ପ୍ରଶ୍ନକାଳ ଆରମ୍ଭ ହେଲା ପରେ କଂଗ୍ରେସ ବିଧାୟକମାନେ ମୁହଁରେ କଳାପଟି ବାନ୍ଧି ପ୍ଲାକାର୍ଡ ଧରି ଗୃହ ଭିତରକୁ ଯାଇଥିଲେ। ଗୃହ ମଧ୍ୟ ଭାଗକୁ ଯାଇ ନିଲମ୍ବନ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି କରିଥିଲେ। କିଛି ସମୟରେ ପରେ ସେମାନେ କକ୍ଷତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ଶ୍ରୀ ବାହିନୀପତି ମଧ୍ୟ ଏହି ଧାରଣାରେ ବସିଥିଲେ। କଂଗ୍ରେସ ସଭ୍ୟମାନେ ଅଭିଯୋଗ କରିଥିଲେ ଯେ ବିଜେପି ସଭ୍ୟ ଜୟନାରାୟଣ ମିଶ୍ର ଗୃହ ଭିତରେ ଶ୍ରୀ ବାହିନୀପତିଙ୍କ କଲାର ଧରି ଧକ୍କା ମାରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାୟକମାନଙ୍କୁ ଉସକାଇବା ସହ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ। କିନ୍ତୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଶାସକ ଦଳକୁ ସୁହାଇଲା ପରି ବାଚସ୍ପତି ନିଷ୍ପତ୍ତି ନେଉଛନ୍ତି। କଂଗ୍ରେସ ବିଧାୟକମାନେ ବାହାରେ ଧାରଣା ଜାରି ରଖିବାରୁ ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଧାରଣାସ୍ଥଳକୁ ଆସିଥିଲେ। ଗୃହକୁ ଫେରିବା ପାଇଁ କଂଗ୍ରେସ ବିଧାୟକଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ସହ ଧାରଣାରୁ ହଟି ନଥିଲେ। ଅପରାହ୍‌ଣରେ ମଧ୍ୟ କଂଗ୍ରେସ ବିଧାୟକମାନେ ଗୃହକୁ ଯାଇ ନଥିଲେ। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିଜେଡି ବିଧାୟକମାନେ ବାଚସ୍ପତିଙ୍କୁ ତାଙ୍କ ଚାମ୍ବରରେ ଭେଟିଥିଲେ। ଶ୍ରୀ ବାହିନୀପତିଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ସେମାନେ ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *