କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣା, ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସୀମାନ୍ତ କଳିଙ୍ଗା ଘାଟିରେ ଶୁକ୍ରବାର ଭୋର୍ ସମୟରେ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ଅଧିକ ଆହତ ହୋଇଥିବା ଯୋଗୁଁ ସେମାନଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ବସ୍ ଟି ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଗୁରୁବାର ରାତିରେ ବାହାରିଥିଲା। ବସରେ ପ୍ରାୟ ୧୫ ରୁ ୧୭ ଜଣ ଯାତ୍ରୀ ବସିଥିଲେ। ଶୁକ୍ରବାର ସକାଳୁ ବସ୍ ର ଚାଳକ କଳିଙ୍ଗା ଘାଟିରେ ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ହିଁ ବସଟି ଓଲଟି ପଡ଼ିଥିଲା। ଫଳରେ ବସରେ ବସିଥିବା ଯାତ୍ରୀମାନେ ଆହତ ହୋଇଥିଲେ। ଏହାପରେ ଖବର ପାଇ ଦୁର୍ଗାପ୍ରସାଦ ଗ୍ରାମବାସୀ ଏବଂ ଅନ୍ୟ ସୁସ୍ଥ ଯାତ୍ରୀ ମାନେ ଆହତମାନଙ୍କୁ ବସରୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ୍ କୁ ପଠାଇଥିଲେ। ଖବର ପାଇ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏବଂ ଜି.ଉଦୟଗିରି ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ ପୁଲିସ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।ଭବାନୀପାଟଣାରୁ ଆସୁଥିବା ଗଞ୍ଜାମ ବିଡିପୁର ଗ୍ରାମର ମଦନ ମୋହନ ପାଣିଗ୍ରାହୀ, ତନରଡ଼ା ଗ୍ରାମର ଲିଜା ପରିଡ଼ା, ଭଞ୍ଜନଗର ହୟଗ୍ରୀବ ପ୍ରଧାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଥିମଧ୍ୟରୁ ମଦନଙ୍କ ହାତ ଭାଙ୍ଗି ଯାଇଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ସାମାନ୍ୟ ଆହତ ହୋଇଥିବା ଯାତ୍ରୀମାନେ ମେଡିକାଲ୍କୁ ଆସିନଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *