ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୋହନ-ନବୀନଙ୍କ ଶୋକପ୍ରକାଶ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ଜନନେତା ଓ ଦକ୍ଷ ପାର୍ଲାମେଣ୍ଟାରିଆନ୍ ଥିଲେ । ୧୯୯୯ ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରିଥିଲେ । ଜଣେ ଜନପ୍ରତିନିଧି ଏବଂ ସାଂସଦ ଭାବରେ ସେ ଅନେକ ଜନକଲ୍ୟାଣ ମୂଳକ କାର୍ଯ୍ୟକରି ସାଧାରଣ ଲୋକଙ୍କ ଶ୍ରଦ୍ଧା ଭାଜନ ହୋଇପାରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ।ରାଜ୍ୟର ବିକାଶ ପାଇଁ ସେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଯାଇଛନ୍ତି । ରାଜ୍ୟ ବିଜେପିର ସଭାପତି ଭାବେ ଦୃଢ ନେତୃତ୍ୱ ଦେଇ ଓଡିଶାରେ ଭାରତୀୟ ଜନତା ପାର୍ଟିର ଅଭ୍ୟୁଦୟରେ ସ୍ୱର୍ଗତ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ସେବା ଓ ସଂକଳ୍ପ ମନୋଭାବରେ ସେ ରାଜ୍ୟର ବିକାଶ ପାଇଁ ସାରା ଜୀବନ ଉତ୍ସର୍ଗ କରିଥିଲେ । ଏହି ବର୍ଷିୟାନ ବ୍ୟକ୍ତିତ୍ୱଙ୍କ ବିୟୋଗ ଯୋଗୁ ଦେଶ ତଥା ରାଜ୍ୟ ଜଣେ ବିଶିଷ୍ଟ ଜନସେବକଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ତାଙ୍କ ପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ । ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଫୋନ୍ ଯୋଗେ କଥା ହୋଇ ନିଜର ସମବେଦନା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକବାର୍ତ୍ତାରେ କହିଛନ୍ତି ଯେ ସ୍ବର୍ଗତ ଡ଼କ୍ଟର ପ୍ରଧାନ ତାଙ୍କର ଅତୁଳନୀୟ ସାଂଗଠନିକ ଦକ୍ଷତା ଓ ଅମାୟିକ ବ୍ୟକ୍ତିତ୍ୱ ପାଇଁ ସ୍ମରଣୀୟ ହୋଇ ରହିବେ | ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ କାର୍ଯ୍ୟ କରି ତାଙ୍କ ପ୍ରଶାସନିକ ଦକ୍ଷତାର ମଧ୍ୟ ପରିଚୟ ଦେଇ ଯାଇଛନ୍ତି | ଡ଼କ୍ଟର ପ୍ରଧାନଙ୍କ ବିୟୋଗରେ ରାଜ୍ୟ ଜଣେ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ୱ ଓ ଲୋକପ୍ରିୟ ରାଜନେତାଙ୍କୁ ହରାଇଲା ବୋଲି ନବୀନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି |

Leave a Reply

Your email address will not be published. Required fields are marked *