
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ଲୋକ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ କୋଠାବାଡ଼ି ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢୁଛି। ଗୋଚର ଜମି ଜବରଦଖଲ କରି ପ୍ରଭାବଶାଳୀ ବ୍ୟକ୍ତି ମାନେ କୋଠାଘର ନିର୍ମାଣ କରୁଛନ୍ତି। ଦିନକୁ ଦିନ ଗୋଚର ଜମି କମୁଛି। ଯେତିକି ଗୋଚର ଜମି କାଗଜ ପତ୍ରରେ ଅଛି ତାହା ବାସ୍ତବରେ ନାହିଁ । ହଜାର ହଜାର ହେକ୍ଟର ଅନବାଦୀ ଗୋଚର ଜମି ଜବରଦଖଲ କାରୀ କବ୍ଜାରେ ରହିଛି। ଗୋଚର ଜମିରେ କେଉଁଠି ବଡ଼ବଡ଼ କୋଠାଘର ତ ଆଉ କେଉଁଠି ଫାର୍ମ ହାଉସ,ସରକାରୀ କାର୍ଯ୍ୟାଳୟ ଓ ମନ୍ଦିର ନିର୍ମାଣ ହୋଇଛି। ଗୋଚର ଜମିରେ ସୁରକ୍ଷା ଦିଗରେ ପଦକ୍ଷେପ ନିଆଯାଉନି। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗୋଚର ଜମି ସରିଆସିଲାଣି। ସରକାରୀ ନିୟମ ଅନୁଯାୟୀ ଗୋଟିଏ ରାଜସ୍ୱ ଗ୍ରାମରେ ଯେତିକି ଗୋଚର ଜମି ରହିବା କଥା ବାସ୍ତବରେ ନାହିଁ । ଯାହା ନଥିରେ ଅଛି କ୍ଷେତ୍ରରେ ନାହିଁ। ବିଭିନ୍ନ ସରକାରୀ ପ୍ରକଳ୍ପ, ଭୂମିହୀନଙ୍କୁ ଜମି ଯୋଗାଇବାରେ ଯେତିକି ଯାଉଛି ତାଠାରୁ ଶହେ ଗୁଣ ଜମି ଜବରଦଖଲରେ ରହିଛି ।
ରାଜସ୍ୱ ବିଭାଗରେ ତଳିଆ କର୍ମଚାରୀ ନିରବ ରହିବାରୁ ଉପଖଣ୍ଡରେ ଜବରଦଖଲ ବୃଦ୍ଧି ପାଉଛି। ଉପଖଣ୍ଡର ନିର୍ଦିଷ୍ଟ କେତେକ ଜାଗାରେ ଗୋଚର ଜମି ଜବର ଦଖଲ ସମ୍ପର୍କରେ ଅଭିଯୋଗ ହେଲେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଉନି। ଗୋଚର ଜିମି ଗୁଡ଼ିକୁ ଜବରଦଖଲ କରିଥିବା ଲୋକ ଗୋପାଳକଙ୍କୁ ନାଲି ଆଖି ଦେଖାଉଥିବାରୁ ସେମାନେ ଗାଈ ଗୋରୁ ବିକିବାକୁ ବାଧ୍ଯ ହେଉଛନ୍ତି । କିଛି ସ୍ଥାନରେ ଗୋଚର ଜମିରେ ଗଭୀର ପଥର ଖଣି ଓ ମୋରମ ଖଣି ବୃଦ୍ଧି ପାଉଛି। ଗୋରୁ ପଲ ଗୁଡ଼ିକ ଚରିବାକୁ ସ୍ଥାନ ନାହିଁ । ଗୋରୁ ଗାଈଙ୍କ ଚରିବା ପାଇଁ ଚାରଣଭୂମି ଜବର ଦଖଲ ହେବା ପରେ ସେମାନେ ଜାତୀୟ ରାଜପଥ,ରାଜ୍ୟ ରାଜପଥ ଓ ବିଭିନ୍ନ ସଡ଼କରେ ବିଚରଣ କରୁଛନ୍ତି।ଫଳରେ ପ୍ରତିଦିନ ଦୁର୍ଘଟଣାରେ ଗାଈ ଗୋରୁଙ୍କ ମୃତ୍ୟୁ ଘଟୁଛି। ମଣିଷ ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି ।
ଉପଖଣ୍ଡରେ ପଶୁ ସମ୍ପଦର ବିକାଶ ପରିବର୍ତ୍ତେ ଏହାର ଅବନତି ଦେଖାଦେଇଛି। ଆବଶ୍ୟକ ସଚେତନତାର ଅଭାବ ହେବାରୁ ଭଞ୍ଜନଗର ଉପଖଣ୍ଡ ଅଧିନ ସମସ୍ତ ତହସିଲରେ ଦିନକୁ ଦିନ ଚାରଣଭୂମି ହ୍ରାସ ପାଉଛି।ଫଳରେ ଉଦ୍ବେଗଜନକ ଭାବେ ଗୃହପାଳିତ ପ୍ରାଣୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ପାରିପାର୍ଶ୍ଵକ ସ୍ଥିତି ବିପନ୍ନ ହେବା ସହିତ ଏହାର ପ୍ରଭାବ ସିଧା ଗ୍ରାମ୍ୟ କୃଷି ଅର୍ଥନୀତି ଉପରେ ପଡ଼ିଛି।କୃଷି ଉନ୍ନତି ଓ କୃଷକର ଅର୍ଥନୈତିକ ପ୍ରଗତି ମୁଖ୍ୟତଃ ପଶୁପାଳନ ଉପରେ ନିର୍ଭର କରେ। ରାଜ୍ୟରେ ଦୁଗ୍ଧ ଓ ମାଂସ ଉତ୍ପାଦନ ବୃଦ୍ଧି ପାଇଁ ପଶୁ ସମ୍ପଦର ବିକାଶ ଦିଗରେ ସରକାର ବ୍ୟାପକ ଯୋଜନା ପ୍ରସ୍ତୁତ କରିବା ସହ ଦିର୍ଘ ମିଆଦୀ ଖସଡ଼ା ପ୍ରସ୍ତୁତ କରିଛନ୍ତି।ଏହା ସହ ପ୍ରାଣୀ ଚିକିତ୍ସାପାଇଁ ସରକାର ଟୋଲ୍ ଫ୍ରି ନମ୍ବର ସହ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ବ୍ୟବସ୍ଥା ଆଣିଛନ୍ତି। ତେବେ ଗୋଚର ଜମିର ସୁରକ୍ଷା ନେଇ ଆବଶ୍ୟକ ପଦକ୍ଷେପ ନିଆଯାଉନି। ଗୋ ସମ୍ପଦର ସୁରକ୍ଷା ପାଇଁ ଗ୍ରାମାଞ୍ଚଳରେ ଚାରଣ ଭୂମିର ସୁରକ୍ଷା ଆବଶ୍ୟକତା ରହିଛି। ଗୋଚର ଜମି ଜବରଦଖଲ ମୁକ୍ତକରି ଚାରଣଭୂମି ସୃଷ୍ଟି କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସୋମବାର ଭଞ୍ଜନଗରରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଦ୍ବାରସ୍ଥ ହୋଇଛନ୍ତି ଘୁମୁସରୀ ଗୋ ପ୍ରଜାତୀ ସମତିର ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ।ଏ ଦିଗରେ ତଦନ୍ତ କରାଯାଇ ଖୁବ୍ ଶିଘ୍ର ପଦକ୍ଷେପ ନିଆଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି ।