
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ନିକଟରେ ଥିବା ବହୁପୁରାତନ ମା’ ଭଗବତୀ ରାଜରାଜେଶରୀଙ୍କ କୟାଁ (ବାଟ) ବାଗଦେବୀ ମନ୍ଦିର ନୂତନ ପ୍ରାସାଦ ଉତ୍ସବ ଜୁନ ୪ ରୁ ୯ ତାରିଖ ୬ ଦିନ ଧରି ହେବ। ତେଣୁ ଶୁକ୍ରବାର ମନ୍ଦିର ସମ୍ମୁଖରେ ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ତାଙ୍କ ସହଧର୍ମିଣୀ ମଧୁମିତା ନାୟକ ଉପସ୍ଥିତ ଥିଲେ। କର୍ତ୍ତା ଭାବେ ବଳରାମ ଦାସ ଏବଂ ତାଙ୍କ ସହଧର୍ମିଣୀ ବିଜୟ ଲକ୍ଷ୍ମୀ ପାଢ଼ୀ ଥିଲେ। ଶୁଭ ସ୍ତମ୍ଭ ସ୍ଥାପନ ପୂର୍ବରୁ ମନ୍ଦିର କର୍ମକର୍ତ୍ତା କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ଆଜି ପ୍ରତ୍ୟୁଷରୁ ଆଜ୍ଞାମାଳ ଧରି ଏକ ଶୋଭାଯାତ୍ରାରେ ଭଞ୍ଜନଗର ଭେଜିପୁଟ ଶ୍ରୀଶ୍ରୀଶ୍ରୀ ଗୁପ୍ତେଶ୍ୱର ଶିବ ମନ୍ଦିରରେ ପହଞ୍ଚି ଥିଲେ। ଏହା ପରେ ଶିବ ମନ୍ଦିର ଠାରୁ ପୁଣି ଶୋଭାଯାତ୍ରା ବାହାରି ଭେଜିପୁଟ, ଷ୍ଟେଟ ବ୍ୟାଙ୍କ ଛକ, ହାଇସ୍କୁଲ, ଖାଲାସିସାହି, ମେଇନରୋଡ, ଥାନା ଛକ, ବସଷ୍ଟାଣ୍ଡ ହୋଇ ବାଗଦେବୀ ରୋଡ କୟାଁ ବାଗଦେବୀ ମନ୍ଦିରରେ ପହଞ୍ଚିଥିଲା। ଏହାପରେ ପୂଜା ପାଠ ପରେ ଶୁଭ ସ୍ତମ୍ଭ ସ୍ଥାପନ ହୋଇଥିଲା। ଏହି ସମୟରେ ମନ୍ଦିର ପରିଚାଳନା କମିଟି ସଭାପତି ଗୋପାଳ ପାଣିଗ୍ରାହୀ, ସମ୍ପାଦକ ଶ୍ରୀରାମ ପ୍ରସାଦ ପାଳ, ଏନ ଏ ସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର,ମୂରଲୀ ପଣ୍ଡା, ପ୍ରମୋଦ ଦଳବେହେରା, ଡି ଚେଲପତି ରାଓ, ମନୋଜ ପଟ୍ଟନାୟକ, ଏମପି ପ୍ରତିନିଧି ସନ୍ତୋଷ ତିଆଡି, ରାଘବ ଆଚାର୍ଯ୍ୟ, ଜଗଦିଶ ପାଣିଗ୍ରାହୀ, ରାମକୃଷ୍ଣ ପଣ୍ଡା, ଗୁପ୍ତେଶ୍ୱର ସୁବୁଦ୍ଧି, ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।