
ଭୁବନେଶ୍ବର: ପଶ୍ଚିମବଙ୍ଗର ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଲା ପରେ ଏହି ସ୍ଥାନକୁ ଜଗନ୍ନାଥଧାମ ନାମକରଣ କରିବାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ସରକାର, ସାଧାରଣ ଜନତା, ଭକ୍ତ ମହଲରେ ଚର୍ଚ୍ଚା ହେଉଛି। ତେବେ ଏସବୁ ଚର୍ଚ୍ଚା ମଧ୍ୟରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ପକ୍ଷରୁ ସବୁ ସେବାୟତ ନିଯୋଗର ସଭାପତି ଓ ସଂପାଦକଙ୍କୁ ନୋଟିସ୍ ଜାରି ହୋଇଛି। ଏଥିରେ କୁହାଯାଇଛି ଯେ, ଦୀଘାଠାରେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ନେଇ ଦ୍ବନ୍ଦାତ୍ମକ ତଥ୍ୟ ପାଇଁ ମେ’ ୪ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଲିଖିତ ଭାବେ ଜଣାନ୍ତୁ। ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଛତିଶାନିଯୋଗ ପରାମର୍ଶ ଦେଇଛି। ଜଗନ୍ନାଥ ଧାମ ଦୀଘା ଘୋଷଣା ସଂପୂର୍ଣ୍ଣ ନିନ୍ଦନୀୟ ବୋଲି କହିଛି। ଜଗନ୍ନାଥ ଧାମ ଦୀଘା ଶଦ୍ଦ ପ୍ରତ୍ୟାହାର ପାଇଁ ଅନୁରୋଧ କରାଯାଉ। ଏନେଇ ରାଜ୍ୟ ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରନ୍ତୁ। ଆବଶ୍ୟକ ହେଲେ ଆଇନ୍ର ପରାମର୍ଶ ନିଅନ୍ତୁ। ଦାରୁର ବଳକା ଅଂଶ କୋଇଲି ବୈକୁଣ୍ଠରେ ରହି ଆସୁଥିଲା। କିନ୍ତୁ ଗତ ନବକଳେବର-୨୦୧୫ର ବଳକା ଦାରୁ ଗୋଟିଏ ନିଯୋଗ ଦାୟିତ୍ବରେ ଥିଲା। ବଳକା ଦାରୁରେ ଅନ୍ୟ ଜଗନ୍ନାଥ ମୂର୍ତ୍ତି ନିର୍ମାଣ ସଂପୂର୍ଣ୍ଣ ଅନୁଚିତ। ଶ୍ରୀମନ୍ଦିର ପ୍ରଶାସନ ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଅନ୍ତୁ। ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରକୁ ଧାମରେ ପରିଣତ କରାଯିବାକୁ ଉଦ୍ୟମ ହୋଇଛି। ଏହି ବିବାଦ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ ନାଁ ନ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି, ଯିଏ ହିନ୍ଦୁ ସଂସ୍କୃତି, ପରମ୍ପରା ସହ ଖେଳିବ, ନିଶ୍ଚିତ ଭାବେ ତାର ଫଳ ଭୋଗିବାକୁ ପଡ଼ିବ। ଆମେ ସମସ୍ତେ ଜାଣିଛେ ପ୍ରଭୁ ଜଗନ୍ନାଥଙ୍କ ଧାମ କେଉଁଠି ଅଛି। ଧାମ କରିବା ଓ ଶଙ୍କରାଚାର୍ଯ୍ୟ ରଖିବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବ ନୁହେଁ । ଏଥିପାଇଁ ହିନ୍ଦୁ ସଂସ୍କୃତିରେ ଅଲଗା ପରମ୍ପରା ରହିଛି। ତେଣୁ ଯିଏ ଏହି ଖେଳ ଖେଳୁଛନ୍ତି, ସିଏ ତାର ଫଳ ଭୋଗିବ ।
ସୂଚନାଯୋଗ୍ୟ, ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଧାମ ନାମ ବ୍ୟବହାର ନେଇ ଅସନ୍ତୋଷ ପ୍ରକଟ କରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଚିଠି ଲେଖିଥିଲେ। ପୂର୍ବରୁ ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଏଥିରୁ ନିବୃତ୍ତ ରହିବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟ୍ୱିଟ୍ କରିଥିଲେ ।