ଭଞ୍ଜନଗର : ୧୫ ଦିନ ବଢିଲା ଆବାସ ସର୍ଭେ,ଉପଖଣ୍ଡରୁ ସାମିଲ ହେଲେଣି ୫୩,୪୬୮

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଅଧିନ ବିଭିନ୍ନ ବ୍ଲକରେ ଚାଲିଥିବା ପ୍ରଧାନମନ୍ତ୍ରୀ ଆବାସ ସର୍ଭେ କାମ ବୁଧବାର ଶେଷ ହେବାକୁ ଥିବା ବେଳେ ସରକାର ଏହାକୁ ଆଉ ୧୫ ଦିନ ବଢାଇଛନ୍ତି। ନୂଆ ଗାଇଡ୍‌ଲାଇନ ଅନୁସାରେ ଏହାର ଆବେଦନ ବର୍ଷ ପହିଲାରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖ ଯାଏ ସମୟ ଥିଲା। ତେବେ ସରକାର ଆଉ ୧ମାସ ଆବେଦନର ସମୟ ବଢ଼ାଇବା ପରେ ଅପ୍ରେଲ ୩୦ ତାରିଖ ଯାଏଁ ସମୟ ଦିଆଯାଇଥିଲା। ଏହା ପରେ ବି ସରକାର ଆଉ ୧୫ ଦିନ ଅର୍ଥାତ ମେ ୧୫ ପର୍ଯ୍ୟନ୍ତ ସମୟ ସୀମା ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକରୁ ୧,୫୩,୫୩୪ ଜଣ ଆବାସ ପାଇଁ ଆବେଦନ କରିଛନ୍ତି। ସେଥିମଧ୍ୟରୁ ଭଞ୍ଜନଗର ଉପଖଣ୍ଡର ୮ଟି ବ୍ଲକରେ ସରକାରୀ ସର୍ଭେୟର ଗାଁ ଗାଁ ବୁଲି କେଉଁମାନେ ଯୋଗ୍ୟ ହିତାଧିକାରୀ ଆବସ ପାଇବାକୁ ହକଦାର ତାହା ଖୋଜିଥିଲେ। ଏପରିକି ନିଜ ମୋବାଇଲ ଆପ୍ ମାଧ୍ୟମରେ ଘରେ ବସି ଲୋକେ ଆବେଦନ କରିବାର ସୁଯୋଗ ପାଇଥିଲେ।ତେବେ ଅପ୍ରେଲ ଶେଷ ସୁଦ୍ଧା ଉପଖଣ୍ଡର ୫୩,୪୬୮ ଜଣ ଆବାସ ପାଇଁ ଆବେଦନ କରିଛନ୍ତି। ସେଥିମଧ୍ୟରୁ ଘରେ ରହି ୬,୦୯୦ ଜଣ ନିଜ ମୋବାଇଲ ଯୋଗେ ଆବେଦନ କରିଥିବା ବେଳେ ୪୭,୩୭୮ ଜଣଙ୍କର ଘରକୁ ଘର ବୁଲି ସରକାରୀ ଅଧିକାରୀ ସର୍ଭେ କରିଥିବା ଜଣା ପଡିଛି ।

ଆବାସ ପ୍ଲସ ପର୍ଟାଲରୁ ମିଳିଥିବା ସୁଚନାନୁସାରେ,ଅପ୍ରେଲ ଶେଷ ସୁଦ୍ଧା ଉପଖଣ୍ଡର ଭଞ୍ଜନଗର ବ୍ଲକରୁ ସର୍ବାଧିକ ୯,୯୫୧ ଓ ବେଲଗୁଣ୍ଠା ବ୍ଲକରୁ ସର୍ବନିମ୍ନ ୩,୭୪୨ ଜଣ ଘର ପାଇଁ ଆବେଦନ କରିଛନ୍ତି। ସେହିପରି ବୁଗୁଡାରୁ ୫,୫୧୨ ଜଣ,ଜଗନାଥପ୍ରସାଦରୁ ୬,୯୧୧ ଜଣ, ଧରାକୋଟରୁ ୭,୧୮୧ ଜଣ,ଶେରଗଡ଼ରୁ ୪,୯୯୯ ଜଣ,ସୋରଡ଼ାରୁ ୭,୭୨୨ ଜଣ ଓ ଆସ୍କାରୁ ମୋଟ ୭,୪୫୦ ଜଣ ଘର ପାଇଁ ଆବେଦନ କରିଛନ୍ତି। ପୁର୍ବରୁ ବିପିଏଲ ଶ୍ରେଣୀରେ ରହୁଥିବା ଲୋକଙ୍କୁ ଆବାସ ଯୋଜନାରେ ଘର ମିଳିପାରୁଥିଲା। କିନ୍ତୁ ଚଳିତ ଏହି ନୂତନ ନିର୍ଦ୍ଦେଶନାମାରେ ଅନେକ ପରିବର୍ତ୍ତନ ହୋଇଥିଲା। ଏଥିରେ ଯେଉଁମାନଙ୍କର ଟିଭି, ଫ୍ରିଜ୍ ଥିବ,ମାସିକ ଆୟ ୧୫ ହଜାର ଭିତରେ ରହିଥିଲା ସେହିଭଳି ପରିବାରକୁ ମଧ୍ଯ ଆବାସ ଯୋଜନାରେ ଘର ମିଳିପାରିବ।ଏହା ସହ ପୂର୍ବରୁ ଗୋଟେ ପରିବାରରେ ବାପାଙ୍କ ନାମରେ ଆବାସ ଯୋଜନାରେ ଘର ମିଳୁଥିବାବେଳେ ସେହି ପରିବାରର ଅନ୍ୟ କାହାରିକୁ ଆଉ ଘର ମିଳିପାରି ନଥିଲା । କିନ୍ତୁ ଚଳିତ ସର୍ଭେରେ ଯେଉଁମାନେ ମୂଳ ପରିବାର ଠାରୁ ଅଲଗା ହୋଇ ଯାଇଥିଲେ ଏବଂ ସେମାନେ ଗୋଟିଏ ସ୍ଥାନରେ ରହୁଥିଲେ ସେମାନଙ୍କୁ ମଧ୍ୟ ଆବାସ ସର୍ଭେ ସାମିଲ ହୋଇଛନ୍ତି। ଆଧାର ଅନୁସାରେ ହିତାଧିକାରୀ ଚିହ୍ନଟ କରାଯାଇଛି। ବୁଧବାର ସୁଦ୍ଧା ଭଞ୍ଜନଗରରୁ ୩୪୨ ଜଣ,ବେଲଗୁଣ୍ଠାରୁ ୭୨୪ ଜଣ, ବୁଗୁଡ଼ାରୁ ୪୩୮,ଜଗନାଥପ୍ରସାଦରୁ ୧,୧୩୮ ଜଣ, ଧରାକୋଟରୁ ୧,୭୩୧ ଜଣ,ଶେରଗଡ଼ରୁ ୩୫୯ ଜଣ,ସୋରଡ଼ାରୁ ୫୩୩ ଓ ଆସ୍କା ବ୍ଲକରୁ ୮୨୫ ଜଣ ନିଜ ମୋବାଇଲ ଯେଗେ ଆବେଦନ କରିଛନ୍ତି।ସେହିପରି ସରକାରୀ କର୍ମଚାରୀଙ୍କ ଦ୍ୱାରା ଗାଁକୁ ଗାଁ ବୁଲି ଯେଉଁ ସର୍ଭେ ହୋଇଛି ତାହା ହେଲା ଭଞ୍ଜନଗରରେ ୯,୬୦୯, ବେଲଗୁଣ୍ଠାରେ ୩,୦୧୮, ବୁଗୁଡ଼ାରେ ୫,୦୭୪, ଜଗନାଥପ୍ରସାଦରେ ୫,୭୭୩, ଧରାକୋଟରେ ୫,୪୫୦,ଶେରଗଡ଼ରେ ୪,୬୪୦, ସୋରଡ଼ାରେ ୭,୧୮୯ ଓ ଆସ୍କାରେ ୬,୬୨୫। ମେ ୧୫ ପର୍ଯ୍ୟନ୍ତ ଆବାସ ସର୍ଭେ ବଢିଥିବାରୁ ଆବେଦନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *