ଭଞ୍ଜନଗର : ପୁରୁଣା କୋଠାରେ ଚାଲିଛି ତହସିଲ ଅଫିସ୍ ଭଞ୍ଜନଗର ରେ ଭୂ-ବନ୍ଦୋବସ୍ତ ଅଫିସ୍ କେବେ?

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଦୀର୍ଘ ୧୩୧ ବର୍ଷ ପୁରୁଣା କୋଠାରେ ଚାଲିଛି ଗଞ୍ଜାମ ଜିଲ୍ଲାର ଅନ୍ୟତମ ଉପଖଣ୍ଡ ଭଞ୍ଜନଗରର ଘୁମୁସର ତହସିଲ ଅଫିସ୍। ବ୍ରିଟିସ୍ ଅମଳରେ ନିର୍ମିତ ଏହି ପୁରୁଣା କୋଠାକୁ ବାରମ୍ବାର ମରାମତି ଓ ରଙ୍ଗ କରି କାର୍ଯ୍ୟାଳୟକୁ ଚଳାଯାଉଥିବା ବେଳେ ନୂତନ କୋଠା ନିର୍ମାଣ ଦିଗରେ ଏଯାବତ୍ ପଦକ୍ଷେପ ଗ୍ରହଣ କରାଯାଇପାରିନି। ବ୍ରିଟିସ୍ ସରକାର ରାଜସ୍ବ କାର୍ଯ୍ୟ ପାଇଁ ୧୮୯୪ ମସିହାରେ ଭଞ୍ଜନଗରରେ ତହସିଲ ଅଫିସ୍ ନିର୍ମାଣ କରିଥିଲେ। ସେହି ସମୟରେ ଏହାର ଭୌଗୋଳିକ କ୍ଷେତ୍ର ଦୀର୍ଘ ଅଞ୍ଚଳ ପର୍ଯ୍ୟନ୍ତ ପରିବ୍ୟାପ୍ତ ରହିଥିଲା। କିନ୍ତୁ ବର୍ଷମାନ ତାହା ଭଞ୍ଜନଗର ମଧ୍ୟରେ ହିଁ ସୀମିତ ରହିଛି। ତେବେ ବର୍ତ୍ତମାନ ପରିସ୍ଥିତିରେ ଅତ୍ୟାଧୁନିକ ବ୍ୟବସ୍ଥା ସହ କର୍ମଚାରୀ ବସିବା ଓ ରେକର୍ଡ଼ପତ୍ର ରଖିବା ଲାଗି ଅଧିକ ଜାଗା ବିଶିଷ୍ଟ ନୂତନ କୋଠା ନିର୍ମାଣର ନିତାନ୍ତ ଆବଶ୍ୟକ‌ତା ରହିଛି।ସେହିପରି ଭୂ-ବନ୍ଦୋବସ୍ତ ଅଫିସ ମଧ୍ୟ ଏଠାରେ ଖୋଲିବାକୁ ଦାବି ଉଠିଛି।ଏହି ତହସିଲ ଅଧୀନରେ ବଡ଼କୋଦଣ୍ଡା, ବାହାଡ଼ାପଦର,ମୁଜାଗଡ଼,କୁଲାଡ଼,ବାରୁଡା,ଗାଲେରୀ ଓ ଲେମ୍ଭେଇ ଭଳି ୮ ଟି ରାଜସ୍ବ ସର୍କଲ ରହିଥିବା ବେଳେ ୧୪୨ ଟି ରାଜସ୍ବ ଗ୍ରାମ ରହିଛି|

ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଆଉ ୬ଟି ସ୍ଥାନରେ ନୂତନ ରାଜସ୍ବ ସର୍କଲ ଗଠନ କରିବାକୁ ପ୍ରସ୍ତାବ ମଧ୍ୟ ରହିଛି। ତେବେ ସୀମିତ ଜାଗା ଭିତରେ ଏହି କାର୍ଯ୍ୟାଳୟରୁବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରୀ ଓ ବିଭିନ୍ନ ପ୍ରମାଣପତ୍ର ପ୍ରଦାନ ଆଦି କାର୍ଯ୍ୟ ଜାରି ରହିଛି। ଆରଓ ଅପଡେଟ୍ ତଥା ମ୍ୟୁଟେସନ୍, ଜମିପଟ୍ଟା ସହ ଜାତିଗତ ଏବଂ ଆବାସ ପ୍ରମାଣପତ୍ର ନିମନ୍ତେ ପ୍ରତିଦିନ ବହୁ ଜନସାଧାରଣ ଏଠାକୁ ଆସୁଛନ୍ତି। ଏଥିସହ ବର୍ତ୍ତମାନ ଗ୍ରାମକଣ୍ଟକ ପଟ୍ଟା ଆବେଦନର ଯାଞ୍ଚ ସହ ସଂଶୋଧନ ପ୍ରକ୍ରିୟା ମଧ୍ୟତହସିଲ କାର୍ଯ୍ୟାଳୟ ପକ୍ଷରୁ ଜାରି ରହିଛି।କିନ୍ତୁ ତହସିଲ କାର୍ଯ୍ୟାଳୟରେ କିଛି ଭିତ୍ତିଭୂମି ଓ ମାନବସମ୍ବଳ ସମସ୍ୟା ଲାଗି ରହିଛି। ଏକ କମନ୍ ଶୌଚାଳୟ ରହିଥିବା ବେଳେ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ବ୍ୟବସ୍ଥା ନ‌ଥିବା ଜଣାପଡ଼ିଛ।ରେକର୍ଡ଼ପତ୍ର ରଖିବାକୁ ପର୍ଯ୍ୟାପ୍ତ ଜାଗା ମଧ୍ୟ ନାହିଁ। ଅନ୍ୟପକ୍ଷରେ ଭଞ୍ଜନଗର ତହସିଲରେ ଗତ ଫେବ୍ରୁଆରି ମାସରୁ ତହସିଲଦାର ପଦବି ଖାଲି ପଡ଼ିଥିବା ବେଳେ ଅତିରିକ୍ତ ତହସିଲଦାର ଏହି ଦାୟିତ୍ବରେ ରହିଥିବା ବେଳେ ୨ ସେକ୍ସନ୍ ଅଧିକାରୀଙ୍କ ମଧ୍ୟରୁ ଜଣଙ୍କୁ ଅନ୍ୟତ୍ର ଡେପୁଟେସନ୍‌ରେ ପଠାଯାଇଛି। ସେହିପରି ୭ଜଣ ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୪ ଜଣଙ୍କୁ ଅନ୍ୟତ୍ର ଡେପୁଟେସନ୍‌ରେ ପଠାଯାଇଛି। ୧୩ କନିଷ୍ଠ ରାଜସ୍ବ ସହାୟକ ପଦବି ରହିଥିବା ବେଳେ ବର୍ତ୍ତମାନ ୧୨ ଜଣ ରହିଛନ୍ତି। ସେଥିମଧ୍ୟରୁ ୨ ଜଣଙ୍କୁ ଅନ୍ୟତ୍ର ଡେପୁଟେସନ୍‌ରେ ପଠାଯାଇଛି। ଆର୍‌ଆଇ ଓ ସୁପରଭାଇଜର ଆବଶ୍ୟକ ଅନୁଯାୟୀ ରହିଥିବା ବେଳେ ୪ ଏଆର୍‌ଆଇ,୨ଟି ଅମିନ ଓ ୧୬ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବି ଖାଲିପଡ଼ିଛି। ସେହିପରି ଜମିଜମା ସଂକ୍ରାନ୍ତିୟ କୋୖଣସି କାମ ଥିଲେ ଲୋକେ ଜିଲ୍ଲା ମୁଖ୍ୟାଳୟ କୁ ଯାଇ ହନ୍ତସନ୍ତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *