ଭଞ୍ଜନଗର : ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଗାଁକୁ ଜଳଯୋଗାଣ ବନ୍ଦ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା ବେଲଗୁଣ୍ଠା ବ୍ଲକ ନୂଆଗାଁ ପାଇପ ଜଳ ଯୋଗାଣ ପ୍ରକଳ୍ପ ଆଜକୁ ୪ ଦିନ ହେବ ଅଚଳ ହୋଇ ପଡ଼ିଛି। ଫଳରେ ଲୋକେ ବିଶୁଦ୍ଧ ପାଣି ଟୋପାଏ ପାଇ ପାରୁନାହାନ୍ତି । ଯାହାକୁ ନେଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପମ୍ପ ହାଉସ ମୋଟରଟି ଅଚଳ ଯୋଗୁ ଏହି ସମସ୍ୟା ଦେଖାଦେଇଛି। ନୂଆଗାଁ ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୈତୃକ ଗ୍ରାମ। ନବୀନ ପଟ୍ଟନାୟକ ଦୀର୍ଘବର୍ଷ ଧରି ଶାସନ କ୍ଷମତାରେ ରହିବା ସମୟରେ ପୈତୃକ ଗ୍ରାମର ବିକାଶ ପ୍ରତି ଯେତିକି ଦୃଷ୍ଟି ଦେବା କଥା ଦେଇନାହାନ୍ତି। ବର୍ତ୍ତମାନ କ୍ଷମତା ଚାଲିଯିବା ପରେ ପ୍ରଶାସନ ମଧ୍ୟ ଉକ୍ତ ଗ୍ରାମବାସୀଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ଆଉ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହୋଇଛି।ସୂଚନାଯୋଗ୍ୟ, ଭଞ୍ଜନଗର ସହରଠାରୁ ୪ କିମି ଦୂରରେ ନୂଆଗାଁ ଅବସ୍ଥିତ। ଉକ୍ତ ଗ୍ରାମଟି ଏକ ବଡ଼ ଗ୍ରାମ ହୋଇଥିବା ବେଳେ ଗ୍ରାମରେ ଏକ ହଜାରରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି। ଦେଶ ସ୍ବାଧୀନତା ପୁର୍ବରୁ ଉକ୍ତ ଗ୍ରାମରେ ବ୍ରିଟିଶ ଶାସକମାନେ ନିଜର କାର୍ଯ୍ୟାଳୟ ଖୋଲିଥିଲେ। ଇତିହାସ ପ୍ରସିଦ୍ଧ ଘୁମୁସର ନୂଆଗାଁ ଆଜି ଅବହେଳିତ ଅବସ୍ଥାରେ। ଗ୍ରାମରେ ବସବାସ କରୁଥିବା ଲୋକଙ୍କୁ ବଡ଼ ନଦୀରୁ ପାଇପ ଯୋଗେ ଆଣି ଯୋଗାଇ ଦିଆଯାଉଛି। କିନ୍ତୁ ୪ ଦିନ ପୂର୍ବେ ନଦୀକୂଳରେ ଥିବା ପମ୍ପ ହାଉସ୍‌ ମୋଟରଟି ଅଚଳ ହୋଇପଡ଼ିଲା। ବିଭାଗୀୟ କର୍ମଚାରୀମାନେ ତାହାକୁ ମରାମତି କରୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଲୋକେ ବିକଳ୍ପ ଭାବେ ନଦୀରୁ ଚୁଆ ଖୋଳି ପାଣି ଆଣୁଥିଲେ। ତାହା ମଧ୍ୟ ନଦୀ ପୋତି ହୋଇଯିବାରୁ ସମ୍ଭବପର ହେଉନାହିଁ। ହ୍ୟାଣ୍ଡ ଟ୍ୟୁବ୍‌ଓ୍ବେଲ୍‌ରୁ ଖାର ପାଣି ବାହାରୁଥିବାରୁ ତାହାକୁ ବ୍ୟବହାର କରୁନାହାନ୍ତି। ଲୋକେ ଷ୍ଟାଣ୍ଡ୍‌ପୋଷ୍ଟରେ ପାଣି ନେବାକୁ ଦୈନନ୍ଦିନ ଅପେକ୍ଷା କରିଛନ୍ତି କିନ୍ତୁ ପାଣି ଆସୁନାହିଁ। ଗ୍ରାମର ଶନି ମନ୍ଦିରରୁ ଲୋକେ ପାଣି ନେଇ ବ୍ୟବହାର କରୁଛନ୍ତି। ତାହା ମଧ୍ୟ ଦୂରରେ ଥିବା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave a Reply

Your email address will not be published. Required fields are marked *