ପୁରୀ : ପିପିଲି ନାବାଳିକା ଦୁଷ୍କର୍ମ ଘଟଣା: ପୁରୀ ଏସ୍‌ପିଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌; ଫେରିବାଲାଙ୍କ ପଞ୍ଜିକରଣ ଓ ଡାଟାବେସ ପ୍ରସ୍ତୁତ ପାଇଁ ଦାବି

ପୁରୀ (ବଳରାମ ତ୍ରିପାଠୀ, ଓଡିଶା ଟୁଡେ) : ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ପୁରୀ ଜିଲ୍ଲାର ଏସ୍‌ପିଙ୍କୁ ଭେଟି ପିପିଲି ନାବାଳିକା ଦୁଷ୍କର୍ମ ଘଟଣାରେ ପୀଡିତାକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଦୃଢ଼ ଦାବି ଜଣାଇଛନ୍ତି। ପ୍ରତିନିଧି ମଣ୍ଡଳୀ ପୀଡ଼ିତାଙ୍କ ପରିବାରକୁ ଭେଟି ତାଙ୍କୁ ସାନ୍ତ୍ୱନା ଦେବା ସହିତ ତାଙ୍କୁନ୍ୟାୟ ପ୍ରଦାନ ପାଇଁ ବିଜୁ ଜନତା ଦଳ ତାଙ୍କ ସହିତ ରହିଛି ବୋଲି କହିଥିଲେ। ରାଜ୍ୟରେ ଦୁଷ୍କର୍ମ ଘଟଣା ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ, ବିଜୁ ଜନତା ଦଳ ତରଫରୁ ଦୁଷ୍କର୍ମ ପୀଡିତାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସ୍ୱରଉତ୍ତୋଳନ କରିଆସୁଛି। ଏହି ପରିପ୍ରେକ୍ଷୀରେ, ଦୁଇ ଦିନ ତଳେ ଲୋକଲୋଚନକୁ ଆସିଥିବା ପିପିଲି ନାବାଳିକା ଦୁଷ୍କର୍ମ ଘଟଣାରେ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଆଜି ପ୍ରଥମେ ପୀଡ଼ିତାଙ୍କ ପରିବାରକୁ ଭେଟି ତାଙ୍କୁ ସମବେଦନା ଜଣାଇଥିଲେ। ପରେ ଏହି ପ୍ରତିନିଧି ମଣ୍ଡଳୀର ସଦସ୍ୟମାନେ ପୁରୀ ଏସ୍‌ପି ଶ୍ରୀ ବିନିତ ଅଗ୍ରୱାଲଙ୍କୁ ଭେଟି ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବିରେ ଏକ ସ୍ମାରକପତ୍ରପ୍ରଦାନ କରିଥିଲେ। ଏହି ମାମଲାରେ ଏକ ଫେରିବାଲାର ସମ୍ପୃକ୍ତି ରହିଥିବାରୁ, ଫେରିବାଲା ମାନଙ୍କ ପଞ୍ଜିକରଣ ବ୍ୟବସ୍ଥା ସହିତ ପୋଲିସ ପାଟ୍ରୋଲିଂ କଡ଼ାକଡି ବ୍ୟବସ୍ଥା କରିବା ପାଇଁ ଦଳ ତରଫରୁ ସ୍ମାରକପତ୍ରରେ ଦାବି କରାଯାଇଛି।ବିଜୁ ଜନତା ଦଳର ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ପୂର୍ବତନ ସାଂସଦ ଶ୍ରୀମତୀ ଶମିର୍ଷ୍ଠା ସେଠୀ, ଶ୍ରୀମତୀ ରାଜଶ୍ରୀ ମଲିକ, ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ସୋଫିଆ ଆଲମ, ଶ୍ରୀମତୀ ଭାରତୀ ସିଂହ ଇତ୍ୟାଦି ସାମିଲ ଥିବାବେଳେ ତାଙ୍କ ସହିତ ପୂର୍ବତନ ବିଧାୟକ ତଥା ପୁରୀ ଜିଲ୍ଲା ବିଜେଡି ସଭାପତି ଶ୍ରୀ ଉମାକାନ୍ତ ସାମନ୍ତରାୟ, ରାଜ୍ୟସଭା ସାଂସଦ ଶ୍ରୀ ସୁଭାଶିଷ ଖୁଣ୍ଟିଆ ।, ପିପିଲିର ପୂର୍ବତନ ବିଧାୟକ ଶ୍ରୀ ରୁଦ୍ର ପ୍ରତାପ ମହାରଥୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *