ଯାଜପୁର ଜିଲ୍ଲାରେ ଜଳ ବିଶୋଧନ ଓ ଆଇ.ଇ.ସି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱରୋପ

ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସୋମବାର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ ଭି.ସି ରୁମ୍ ଠାରେ ଜିଲ୍ଲାରେ ଜଳ ବିଶୋଧନ ପ୍ରକ୍ରିୟା ଓ ଆଇ.ଇ.ସି ଉପରେ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଝାଡାବାନ୍ତି ତଥା ଡ଼ାଇରିଆ ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ ତଥ୍ୟ ଉପରେ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ଦିନ ୨ ରୁ ୨.୫୩ ଲିଟର ଫୁଟା ପାଣି ପିଇବାକୁ, ତେଲ ଓ ମସଲା ଯୁକ୍ତ ଖାଦ୍ୟ ନଖାଇବାକୁ ଏବଂ ଯଥା ସମ୍ଭବ ସିଝା ଖାଦ୍ୟ ଖାଇବାକୁ ଜନ ସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଇଛି। ରୋଗୀ ମାନେ ସୁସ୍ଥ ହୋଇ ଘରକୁ ଫେରିବାପରେ ସେମାନଙ୍କୁ ଟେଲି ମେଡ଼ିସିନ ମାଧ୍ୟମରେ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବାକୁ ଡାକ୍ତର ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଯେଉଁ ରୋଗୀ ମାନେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରୁଛନ୍ତି ତାଙ୍କ ଉପରେ ମନିଟରିଙ୍ଗ ଟିମ୍ ୨ ସପ୍ତାହ ପର୍ଯ୍ୟନ୍ତ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଝାଡାବାନ୍ତି ରୋଗରେ ଆକ୍ରାନ୍ତ ମାଇଲଡ ଓ ସିଭିଅର ରୋଗୀମାନଙ୍କର ବେଡ୍ ଓ ଶୌଚାଳୟ ନିଶ୍ଚିତ ଅଲଗା ହେବା ଦରକାର ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ସ୍କୁଲ୍ ମାନଙ୍କରେ ଡିସ ଇନ୍ଫେକ୍ସନ୍ ମଙ୍ଗଳବାର ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୋମବାର ସନ୍ଧ୍ୟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଜିଲ୍ଲାରେ ୧୧୩ ଜଣ ନୂଆ ରୋଗୀ ଆଡମିଟ ହୋଇଥିବାବେଳେ ୧୦୯ ଜଣ ସ୍ୱଳ୍ପ ପତଳା ଝାଡା ଏବଂ ୦୪ ଜଣ ଅତ୍ୟଧିକ ପତଳା ଝାଡା ହେଉଥିବା ରୋଗୀ ଆଡମିଟ ହୋଇଛନ୍ତି। ୦୬ ଜଣ ରୋଗୀଙ୍କୁ ରେଫେର କରାଯାଇଛି ଏବଂ ୮୬ ଜଣଙ୍କୁ ଡ଼ିସଚାର୍ଜ କରାଯାଇଛି। ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟାନ୍ୟ ଚିକିତ୍ସାଳୟ ରେ ମୋଟ ୧୫୦ ଜଣ ରୋଗୀ ଚିକିତ୍ସତ ହେଉଛନ୍ତି ଯେଉଁଥିରେ ୧୪୬ ଜଣ ସ୍ୱଳ୍ପ ପତଳା ଝାଡା ଏବଂ ୦୪ ଜଣ ଅତ୍ୟଧିକ ପତଳା ଝାଡା ହେଉଥିବା ର ସୂଚନା ମିଳିଛି। ପ୍ରତ୍ୟେକ ଘରେ ସଚେତନ ସହ ସାବୁନ ବଣ୍ଟନ ଚାଲୁରହିଛି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଦିନ ଏହାର ତଦାରଖ କରାଯାଉଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ, ଶ୍ରୀ ଶିବାନନ୍ଦ ସ୍ୱାଇଁ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ,ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ବିଜୟ ମିଶ୍ର , ମହାରାଜା ଯଯାତି କେଶରୀ ମେଡିକାଲ କଲେଜ୍ ଡିନ୍ ତଥା ଅଧ୍ୟକ୍ଷ ଶ୍ରୀ ସିତାରାମ ମହାପାତ୍ର,ମେଡିକାଲ ସୁପରିଟେଣ୍ଡେଣ୍ଟ, ସମସ୍ତ ବିଭାଗୀୟ ଅଧିକାରୀ, ବିଡ଼ିଓ, ତହସିଲଦାର, ଭାରପ୍ରାପ୍ତ ମେଡିକାଲ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *