
ବ୍ରହ୍ମପୁର: ବ୍ରହ୍ମପୁରରେ ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକଙ୍କୁ ଏନକାଉଣ୍ଟର କରିଛି ଗୋଳନ୍ଥରା ପୋଲିସ । ସୁନୀଲର ବାମ ଗୋଡ଼ରେ ଗୁଳି ବାଜିଥିବାରୁ ଆହତ ଅବସ୍ଥାରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳ ସମୟରେ ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା ।
ଅପରାଧୀ ସୁନୀଲ ବିରୋଧରେ ଅନେକ ଅପରାଧିକ ମାମଲା ରହିଥିବା ବେଳେ ସେ ପିତାତଳି ଅଞ୍ଚଳରେ ରହିଥିବା ପୋଲିସକୁ ଖବର ମିଳିଥିଲା । ଏହାପରେ ଗୋଳନ୍ଥରା ଥାନା ଅଧିକାରୀ ବିବେକନନ୍ଦ ସ୍ୱାଇଁ ଓ ତାଙ୍କ ସ୍ୱତନ୍ତ୍ର ଟିମ ସୁନିଲକୁ ଗିରଫ ପାଇଁ ଉକ୍ତ ସ୍ଥାନରେ ଚଢାଉ କରିଥିଲା । ଏହି ସମୟରେ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ କରିଥିଲା ସୁନିଲ । କେହି ପୋଲିସ ଆହତ ହୋଇନଥିବା ବେଳେ ପୋଲିସ ଗାଡ଼ି ଉପରକୁ ଗୁଳି ବାଜିଥିବା କୁହାଯାଇଛି । ଏହାର ପାଲଟା ଜବାବରେ ପୋଲିସ ଏନକାଉଣ୍ଟରରେ ସୁନୀଲ ଉପରକୁ ଗୁଳିମାଡ କରିଥିଲା । ଅପରାଧୀ ସୁନୀଲ ନାହାକ ଆହତ ହୋଇଥିବାରୁ ବର୍ତ୍ତମାନ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲରେ ତାଙ୍କୁ ଭର୍ତ୍ତି ହୋଇଥିବା ଜଣାପଡିଛି ।ଦୁର୍ଦ୍ଦାନ୍ତ ଅପରାଧୀ ଜଣକ କବିସୂର୍ଯ୍ୟନଗର ଆଇବି ରୋଡ୍ର ସୁନୀଲ ନାହାକ ଓରଫ୍ ମଲ୍ଲ ଭାବରେ ପରିଚିତ ରହିଥିବା ବେଳେ ତାଙ୍କ ନାମରେ ପୂର୍ବରୁ 20 ରୁ ଉର୍ଦ୍ଧ୍ବ ମାମଲା ରହିଛି । ଦୁଇଟି ହତ୍ୟା ମାମଲା ସମେତ ହତ୍ୟା ଉଦ୍ୟମ, ଗୁଳିମାଡ଼, ଚୋରି,ଡକାୟତି ଭଳି ଅନେକ ମାମଲା ରହିଛି । ଏନେଇ ପୋଲିସ ପକ୍ଷରୁ କୈଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।