
ବ୍ରହ୍ମପୁର:ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀମା ନଗରରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ପୋଲିସ । ଅଭିଯୁକ୍ତକୁ କର୍ଣ୍ଣାଟକ କଲବର୍ଗି ଜିଲ୍ଲା ୱାଡ଼ି ରେଳ ଷ୍ଟେସନରୁ ଗିରଫ କରିଛି । ଅଭିଯୁକ୍ତ କିଭଳି ଭାବେ ମା’ ଝିଅଙ୍କ ଉପରେ ଆକ୍ରମଣ କରିଥିଲା ଘଟଣାସ୍ଥଳରେ କ୍ରାଇମସିନ ରିକ୍ରିଏସନ କରି ଗୋଟି ଗୋଟି କରି କହିଛି ଅଭିଯୁକ୍ତ ।
ଗିରଫ ଅଭିଯୁକ୍ତ ଜଣକ ହେଲେ ଶାନ୍ତନୁ କୁମାର ପାତ୍ର । ଶାନ୍ତନୁଙ୍କ ଘର ବାଲେଶ୍ବର ଖନ୍ତାପଡ଼ାରେ। ସେ ବ୍ରହ୍ମପୁରରେ ସୁନିଲ ସ୍ୱାଇଁ ଭାବେ ନକଲି ଆଧାର କାର୍ଡ କରି ରହୁଥିଲେ । ପୂର୍ବରୁ ଶାନ୍ତନୁ ବିବାହିତ ଥିଲା। ତେବେ ପତ୍ନୀଙ୍କ ସହ ଝଗଡ଼ା ହେବାରୁ ସେ ଅଲଗାରେ ରହୁଥିଲେ। ବାଲେଶ୍ବରରେ ନିଜ ସମ୍ପର୍କୀୟ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ ଘଟଣାରେ ୨୦୧୯ରୁ ଫେରାର ରହିଥିଲେ । ସେଠାରୁ ବ୍ରହ୍ମପୁର ଆସି ଗାୟତ୍ରୀ ସ୍ୱାଇଁଙ୍କ ସହ ଫେସବୁକ୍ ଜରିଆରେ ସମ୍ପର୍କ ଓ ପ୍ରେମ । ଦୁଇ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୨୩ରେ ବଡ଼ ବଜାର ଥାନା ଅର୍ନ୍ତଗତ ଓମ୍ ନଗରରେ ଗାୟତ୍ରୀ ତାଙ୍କୁ ଆଣି ଏକ ଆଧାର କେନ୍ଦ୍ରରେ ନକଲି ଆଧାର କାର୍ଡ କରିଥିଲେ। ସେଠାରେ ରହିଥିବା ସମୟରେ ସେ ଗାୟତ୍ରୀଙ୍କୁ ନେଇ ବମ୍ବେ ଫେରାର ହୋଇ ଯାଇଥିଲେ। ଏହାକୁ ନେଇ ବଡ ବଜାର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ୧୦ ଦିନ ପରେ ଗାୟତ୍ରୀ ଫେରି ଆସିଥିଲେ। ପରେ ଗାୟତ୍ରୀ ଓ ତାଙ୍କ ସ୍ବାମୀ ମଧ୍ୟରେ ଆଲୋଚନା ହୋଇଥିଲା । ଆଉ ଗାୟତ୍ରୀ ତାଙ୍କ ସ୍ବାମୀ ସହ ରହୁଥିଲେ କିନ୍ତୁ ଏହା ପରେ ବି ଶାନ୍ତନୁ ସହ ସମ୍ପର୍କ ରଖିଥିଲେ।
ତେବେ ଧୀରେ ଧୀରେ ଗାୟତ୍ରୀ ଦୂରେଇ ଯିବା ଓ ରାକ୍ଷୀରେ ଶାନ୍ତନୁ ହାତରେ ରାକ୍ଷୀ ବାନ୍ଧି ଭାଇ କରିବା ସମ୍ପର୍କର ମୋଡ଼କୁ ବଦଳାଇ ଦେଲା । ଏଥିରେ ଶାନ୍ତନୁ ନିଜକୁ ଅସୁରକ୍ଷିତ ମଣିଥିଲା। ଗାୟତ୍ରୀ ତାର ହାତଛଡ଼ା ହୋଇଯିବା ଭୟ ଘାରିଥିଲା ତାକୁ । ଆଉ ଯୋଜନା ମୁତାବକ ଗାୟତ୍ରୀ ରହିଥିବା ଭଡା ଘରକୁ ଯାଇ ଅଗଷ୍ଟ ୧୦ ତାରିଖ ରାତି ୯ଟା ୪୫ରେ ହତ୍ୟା କରିଥିଲା। ଘଟଣାକୁ ଝିଅ ଦେଖି ଦେଇଥିବାରୁ ତାକୁ ବି ଛୁରୀ ଭୁସି ଦେଇଥିଲା । ଏହି ଘଟଣା ପରେ ରାତି ପ୍ରାୟ ୧୨ଟାରେ ସେ ଗାୟତ୍ରୀଙ୍କ ଘରୁ ବାହାରି ନିଜ ଭଡା ଘରକୁ ଯାଇଥିଲା। ସେଠାରେ ଛୁରାକୁ ଲୁଚାଇ ବ୍ରହ୍ମପୁର ଷ୍ଟେସନ ଦେଇ କର୍ଣ୍ଣାଟକ ଫେରାର ହୋଇଯାଇଥିଲା । ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡ. ସର୍ବଣା ବିବେକ ଏମ ।
ତେବେ ଆମେ ପୁଣି ଥରେ କହି ରଖୁଛୁ । ଭୁବନେଶ୍ୱରରେ ଚାକିରି କରୁଥିବା ସାଧୁଚରଣ ସ୍ୱାଇଁଙ୍କ ସ୍ତ୍ରୀ ଗାୟତ୍ରୀ ଓ ଝିଅ ନିଲମ୍ ଶ୍ରୀମା ନଗରରେ ଏକ ଭଡ଼ା ଘରେ ଗତ ଅଗଷ୍ଟ ୩ ତାରିଖରୁ ରହି ଆସୁଥିଲେ । କିନ୍ତୁ ୧୧ ତାରିଖ ଦିନ ଘରର ବାହାରପଟୁ ପଡ଼ିଥିଲା ତାଲା । ସ୍ବାମୀ ସାଧୁଚରଣ ଯେତେବେଳେ ଘର କବାଟ ଭାଙ୍ଗି ଦେଖିଲେ ଚଟାଣରେ ଗାୟତ୍ରୀଙ୍କ ମୃତଦେହ ପଡ଼ିଥିଲା ଆଉ ୧୨ ବର୍ଷର ଝିଅ ନୀଲମ୍ ମଧ୍ୟ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ ନିଆଯାଇଥିଲା । ଝିଅକୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଉ ସେଠାରୁ ତାଙ୍କୁ ଭୁବନେଶ୍ୱର ଏମସ୍ କୁ ପଠାଇ ଦିଆଯାଇଛି । ଏପଟେ ବ୍ରହ୍ମପୁର ଏସପି ଓ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାର ତଦନ୍ତ ଚଳାଇ ଥିଲେ । ତଦନ୍ତ ପରେ ଗାୟତ୍ରୀ ଏବଂ ସୁନିଲଙ୍କ ମଧ୍ୟରେ ଥିବା ସମ୍ପର୍କ ଜଣା ପଡ଼ିଥିଲା ।
କ୍ରାଇମସିନ ରିକ୍ରିଏସନ ସମୟରେ ବ୍ରହ୍ମପୁର ଏସପି ଡ଼ା ଶର୍ବଣା ବିବେକ ଏମ, ସଦର ଏସଡିପିଓ ଏସ.ଏସ.ପରିଡା, ନିମଖଣ୍ଡି ଥାନା ଅଧିକାରୀ ସହ ପୋଲିସ ଟିମ ଉପସ୍ଥିତ ଥିଲେ । ଏଥିରୁ ହତ୍ୟାର ଅଧିକ ତଥ୍ୟ ପ୍ରମାଣ ମିଳିଥିବା ବେଳେ ଏହା ତଦନ୍ତରେ ସହାୟକ ହେବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି ।