
ନୂଆଦିଲ୍ଲୀ : ଆଗକୁ ଆସୁଥିବା ଫେଷ୍ଟିଭ ସିଜନରେ ଅନଲାଇନ ଫୁଡ ମଗାଇବା ଚାହିଦା ବଢୁଥିବାର ଦେଖିବାକୁ ମିଳିଥାଏ । ହେଲେ ଅନଲାଇନ ଖାଦ୍ୟ ମଗାଇବା ହେବ ମହଙ୍ଗା । ଅନଲାଇନ୍ ଫୁଡ ଡେଲିଭରୀ ଆପରୁ ଖାଦ୍ୟ ମଗାଉଥିଲେ ଆପଣଙ୍କ ପକେଟ ଉପରେ ପଡ଼ିବ ପ୍ରଭାବ । ଗତ ଦୁଇଦିନ ତଳେ ଜିଏସଟି କାଉନସିଲ ବୈଠକରେ ଇ କର୍ମସ ଏବଂ କ୍ବିକ୍ କମର୍ସ ପ୍ଲାଟଫର୍ମରେ ଡେଲିଭରି ସର୍ଭିସରେ ୧୮% ଜିଏସଟି ଘୋଷଣା କରାଯାଇଥିଲା । ତେଣୁ ସମସ୍ତ କମ୍ପାନୀ ଟ୍ୟାକ୍ସ ଲାଗୁ ହେବା ପୂର୍ବରୁ ଗ୍ରାହକଙ୍କ ବଡ଼ ଝଟକା ଦେଇଛନ୍ତି ।ଗତ ୩ ତାରିଖରେ ଜିଏସଟି କାଉନସିଲ ବୈଠକରେ ଜିଏସଟି ରିଫର୍ମ ସହିତ ଜଡିତ ଅନେକ ବଡ଼ ଘୋଷଣା ହୋଇଛି । ଏଥିରେ ପୂର୍ବରୁ ଲାଗୁ ହୋଇଥିବା ୪ଟି ଟ୍ୟାକ୍ସ ସ୍ଲାବ୍ ବଦଳରେ ୫% ଏବଂ ୧୮% ଦୁଇଟି ଟ୍ୟାକ୍ସ ସ୍ଲାବ ରହିଛି । ସେହିପରି ଘରୋଇ ଜିନିଷ ବ୍ୟବହାର ଠାରୁ ଆରମ୍ଭ କରି ଟିଭି, ଏସି, କାର, ବାଇକ୍ ଇତ୍ୟାଦି ଜିନିଷର ଦାମ୍ କମ୍ କରିବା ପାଇଁ ଘୋଷଣା ହୋଇଛି । ଏଥିରେ ଇ-କମର୍ସ ଏବଂ କ୍ବିକ କମର୍ସ ପ୍ଲାଟଫର୍ମ୍ସରେ ଡେଲିଭରୀ ସର୍ଭିସରେ ୧୮% ଜିଏସଟି ଟ୍ୟାକ୍ସ ଲଗାଯାଇଛି । ଯାହା ୨୨ ସେପ୍ଟେମ୍ବରରୁ ଲାଗୁ ହେବ ।ତେବେ ସରକାରଙ୍କ ଏହି ନିଷ୍ପତ୍ତି ଲାଗୁ ହେବାକୁ ଏବେ ୧୫ ଦିନ ସମୟ ବାକି ରହିଛି । କିନ୍ତୁ ଖବର ମୁତାବକ, ଅନଲାଇନ ଫୁଡ ଡେଲିଭରୀ ପ୍ଲାଟଫର୍ମ ପାଇଁ ଲାଗିଥିବା ଜିଏସଟି କ୍ଷତିପୂରଣକୁ କଭର କରିବା ପାଇଁ ଏବେଠାରୁ ପ୍ଲାଟଫର୍ମ ଫି ବଢାଇଦେଇଛନ୍ତି । ଏଥିପାଇଁ ଦେଶରେ ଖାଦ୍ୟ ଅର୍ଡର କରୁଥିବା ଲକ୍ଷ ଲକ୍ଷ ଗ୍ରାହକଙ୍କ ପକେଟ ଉପରେ ପ୍ରଭାବ ପଡିବ ।