
ଭଞ୍ଜନଗର ୧୭/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): କନ୍ଧମାଳ ସୀମାନ୍ତ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅଧିନ କଳିଙ୍ଗା ଘାଟିରେ ମଙ୍ଗଳବାର ଅପରାହ୍ନରେ ଘଟିଥିବା ଭୁସ୍ଖଳନ ପରେ ଦକ୍ଷିଣ
ଓଡିଶା ସହ ପଶ୍ଚିମ ଓଡିଶାକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଭୂସ୍ଖଳନ ପରେ ଘାଟି ପାଦଦେଶରୁ ପ୍ରାୟ ତିନି କିଲୋମିଟର ଉପରରୁ ବଡ ବଡ ପଥର ଓ ମାଟି ଅତଡା ଖସି ୧୫୭ ନମ୍ବର ଜାତୀୟ ରାଜପଥ ଉପରକୁ ମାଡି ଆସିଛି।ଏହା ସହ ରାସ୍ତାର ବିଭିନ୍ନ ସ୍ଥାନରେ ଫାଟ ହେବା ସହ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଘାଟି ରାସ୍ତା ଟି ଯାତାୟାତ ପାଇଁ ସମ୍ପୂର୍ଣ ବିପଦପୁର୍ଣ ପାଲଟିଛି।ଗତକାଲି ଠାରୁ ଏହି ରାସ୍ତା ଦେଇ ଯାନବାହାନ ଚଳାଚଳ ବନ୍ଦ ରହିଛି। ଭୁସ୍ଖଳନ ସ୍ଥାନରେ ପ୍ରାୟ ୫୦ ମିଟର ରାସ୍ତା ଉପରେ ମାଟି ଓ ପଥର ଜମା ହୋଇ ରହିଛି। ବୁଧବାର ଜାତୀୟ ରାଜପଥ ପ୍ରାଧିକରଣ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସହ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଯଥାଶୀଘ୍ର ରାସ୍ତା ଉପରେ ଜମା ହୋଇଥିବା ପଥର ହଟାଇବା ସହ ରାସ୍ତା ମରାମତି ଦିଗରେ ପ୍ରଶାସନ ଗୁରୁତ୍ୱ ଦେଇଛି। ବଡ ବଡ ମେସିନ୍ ସାହାଯ୍ୟରେ ରାସ୍ତା ଉପରେ ଜମା ହୋଇଥିବା ପଥର ଓ ମାଟିକୁ ବାହାର କରିବା କାମ ଆରମ୍ଭ ହୋଇଛି। ବୁଧବାର ଅପରାହ୍ନ ରେ କଳିଙ୍ଗା ଘାଟି ଉପରେ ପୁଣି ବର୍ଷା ହୋଇଥିବାରୁ ରାସ୍ତା ସଫା ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି।
ଦକ୍ଷିଣ ଓ ପଶ୍ଚିମ ଓଡିଶାକୁ ସଂଯୋଗ କରିବାରେ ଏହି ଘାଟି ରାସ୍ତାର ବହୁ ଗୁରୁତ୍ୱପୂର୍ଣ ଭୁମିକା ରହିଥିବା ବେଳେ ପ୍ରତିଦିନ ଏହି ରାସ୍ତା ଦେଇ ଛୋଟ ବଡ ଶତାଧିକ ମାଲବାହି ଗାଡି ଠାରୁ ଆରମ୍ଭ କରି ଯାତ୍ରୀବାହୀ ଗାଡି ଯାତାୟତ କରିଥାଏ। ଏହି ଭୁସ୍ଖଳନ ଫଳରେ ଗମନାଗମନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ ଭୁମିକା ବହନ କରୁଥିବା ଏହି ୧୫୭ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ ଠପ୍ ହୋଇଯାଇଛି।ପୁର୍ବରୁ ଏହି ଘାଟିରେ ମାଟି ଅତଡା ଓ ପଥର ଖସି ରାସ୍ତା ଉପରକୁ ଆସୁଥିବା ବେଳେ ମଙ୍ଗଳବାର ଘଟିଥିବା ଭୁସ୍ଖଳନ ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି। ବୁଧବାର ଦୁଇ ଜିଲ୍ଲାର ବରିଷ୍ଠ ଅଧିକାର ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ବଡ ବଡ ମେସିନ ଯୋଗେ ଭଞ୍ଜନଗର ଓ ଉଦୟଗିରି ପଟର ରାସ୍ତା ଉପରେ ପଡିଥିବା ପଥର ଓ ମାଟି ବାହାର କରାଯାଉଛି। ଉପର ମୁଣ୍ଡରୁ ଝରଣା ପାଣି ବୋହି ଆସୁଥିବା କଲଭର୍ଟ ନିକଟରେ ଅସ୍ଥାୟୀ ପୋଲ ନିର୍ମାଣ କରାଯିବ ବୋଲି ଜଣାପଡିଛି। ଘାଟିର ଦିର୍ଘ ଦୁଇ କିଲୋମିଟର ରାସ୍ତା ଭୁସ୍ଖଳନରେ କ୍ଷତିଗ୍ରସ୍ତ ହୋଇଥିବାରୁ ରାସ୍ତା ମରାମତି ବିଳମ୍ବ ହୋଇପାରେ।