
ବୋଲଗଡ଼: ରାସ୍ତା ଉପରେ ଥୁଆ ହୋଇଛି ମୃତଦେହ । ମୃତଦେହକୁ ଜାବୁଡି ଧରି କାନ୍ଦୁଛନ୍ତି ପରିବାର ଲୋକେ । ଏପଟେ ହୋ ହାଲ୍ଲା ପାଟିତୁଣ୍ଡରେ କମ୍ପିଉଠୁଛି ରାସ୍ତା । ଆଉ କଥା ବୁଝୁ ବୁଝୁ ଜଣାପଡିଲା ନଡ଼ିଆ ତୋଳିବା ହେଲା କାଳ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜଣକ ଜୀବନ । ବୋଲଗଡ଼ ନେଳିଆ ପୋଖରୀ ନିକଟରେ ଥିବା ନଡ଼ିଆ ଗଛରୁ ନଡ଼ିଆ ତୋଳୁଥିବା ସମୟରେ ନିକଟରେ ଯାଇଥିବା 33କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣକ ମୃତ୍ୟୁ ଘଟିଛି ।ମୃତକ ଜଣକ ହେଲେ ନିକଟସ୍ଥ ଖଁଗୁରିଆ ଗାଁର ଜଗୁ ପରିଡା । ତେବେ ଖବର ପାଇବା ପରେ ଖଁଗୁରିଆ ଗ୍ରାମବାସୀ ଆସି ପହଞ୍ଚି ବୋଲଗଡ ଅଗ୍ନିଶମ ବିଭାଗକୁ ତୁରନ୍ତ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଗଛ ଉପରୁ ମୃତଦେହ ତଳକୁ ଓହ୍ଲାଉ ଥିବାବେଳେ ଅସାବଧାନତା ହେତୁ ମୃତଦେହ ତଳେ ପଡିଯାଇଥିଲା । ଯାହାକୁ ନେଉ ଉତେଜନା ପ୍ରକାଶ ପାଇବା ସହିତ ଗ୍ରାମବାସୀ ଅଗ୍ନିଶମ କର୍ମଚାରୀଙ୍କୁ ମାଡ ମାରିଥିଲେ ।ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରୁ ପଳାଇ ଆସିବାରୁ ବୋଲଗଡ ମେଡିକାଲ ପର୍ଯ୍ୟନ୍ତ ସ୍ଥାନୀୟ ଲୋକ ବାଇକରେ ମୃତଦେହ ଆଣି ଆସିଥିଲେ । ଯାହାକୁ ନେଇ ଆହୁରି ଉତେଜନା ପ୍ରକାଶ ପାଇଛି । ତେବେ ପ୍ରଶାସନିକ ଅବହେଳା ଏବଂ କ୍ଷତିପୂରଣ ଦାବିରେ ଉତେଜନା ସୃଷ୍ଟି କରିଥିଲେ ଗ୍ରାମବାସୀ । ଏହାପରେ ଲୋକମାନେ ବୋଲଗଡ଼ ଦେଇ ଯାଇଥିବା 57ନମ୍ବର ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ କରିଥିଲେ ।ଫଳରେ ଜାତୀୟ ରାଜପଥରେ ଗାଡି ଚଳାଚଳ ଠପ ହୋଇଥିଲା । ଘଟଣା ସ୍ଥଳରେ ବୋଲଗଡ଼ ପୋଲିସ ପହଞ୍ଚି ବୁଝାସୁଝା କରିବା ସହ ଦୀର୍ଘ ତିନିଘଣ୍ଟା ରାସ୍ତା ଅବରୋଧ ପରେ ରେଡ଼କ୍ରସ ତରଫରୁ କୋଡିଏ ହଜାର କ୍ଷତିପୂରଣ ପ୍ରତିଶୃତି ପରେ ହଟିଲା ରାସ୍ତା ଅବରୋଧ । ତେବେ ମୃତକଙ୍କ ସ୍ତ୍ରୀ ଏବଂ ଛୁଆ ଏବେ ସମ୍ପୂର୍ଣ୍ଣ ଅସହାୟ । ଏହି ହୃଦୟବିଦାରକ ଘଟଣା ପରେ ଏବେ ପୂରା ଗାଁରେ ଶୋକର ଛାୟା ଖେଳିଯାଇଛି ।