
ଭୁବନେଶ୍ୱର : ବର୍ଷାରେ ଭିଜିବ ପାର୍ବଣ । ୨୫ରେ ପୁଣି ଏକ ଲଘୁଚାପ ସମ୍ଭାବନା । ମିଆଁମାର-ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇପାରେ ନୂଆ ଲଘୁଚାପ କ୍ଷେତ୍ର । ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ମିଆଁମାର ଉପକୂଳରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ ।ଯାହା ଘନୀଭୂତ ହୋଇ ଉତ୍ତର-ଉତ୍ତରପଶ୍ଚିମ ଆଡକୁ ଗତି କରି ୨୨ ତାରିଖରେ ଉତ୍ତର ବଙ୍ଗୋପସାଗର ଉପରେ ପହଞ୍ଚିବ । ପ୍ରଭାବରେ ୨୫ ତାରିଖରେ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରର ମିଆଁମାର-ବାଂଲାଦେଶ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଲଘୁଚାପ ପ୍ରଭାବରେ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ଫିଲିପାଇନ୍ସ ସାଗରରେ ସୃଷ୍ଟି ହୋଇଛି ଟ୍ରପିକାଲ ଷ୍ଟର୍ମ ରାଗାସା । ଯାହା ଆସନ୍ତା ସପ୍ତାହ ଆରମ୍ଭରେ ଲୁଜୋନ୍ ପ୍ରଣାଳୀ ନିକଟରେ ପହଞ୍ଚିବା ପୂର୍ବରୁ ଅତି ଶକ୍ତିଶାଳୀ ଟାଇଫୁନରେ ପରିଣତ ହେବାର ସମ୍ଭାବନା ରହିଛି ।ଏହି ଟାଇଫୁନ ପ୍ରଭାବ ଆସନ୍ତା ସପ୍ତାହ ଆରମ୍ଭରେ ତାଇୱାନ ଏବଂ ଉତ୍ତର ଫିଲିପାଇନ୍ସ ଉପରେ ପଡ଼ିବ । ପରବର୍ତ୍ତୀ ସପ୍ତାହରେ ଦକ୍ଷିଣ ଚୀନ୍ ଉପରେ ପ୍ରଭାବ ପକାଇବ । ଏପଟେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।