
ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ମାଧ୍ୟମରେ ସବୁବେଳେ ଦେଶର ସବୁ ନାଗରିକଙ୍କୁ ନିରାପଦ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ଲାଗି ଭାରତ ସରକାର ନିରନ୍ତର ପ୍ରୟାସ କରି ଆସୁଛନ୍ତି। 2007-08 ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ଜାତୀୟ ଖାଦ୍ୟ ସୁରକ୍ଷା ମିଶନ (ଏନଏଫଏସଏମ)ର ପରିସରକୁ 2014-15 ଆର୍ଥିକ ବର୍ଷରେ ଅଧିକ ବ୍ୟାପକ କରାଯାଇ ଏଥିରେ ଖଦଡ଼ ଶସ୍ୟକୁ ସାମିଲ କରାଯିବା ସହିତ ଉତ୍ପାଦକତା, ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ଚାଷୀଭ୍କ ଆୟ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା। 2024-25 ମସିହାରେ, ଏହାକୁ ଜାତୀୟ ଖାଦ୍ୟ ସୁରକ୍ଷା ଏବଂ ପୋଷଣ ମିଶନ (ଏନଏଫଏସଏନଏମ) ଭାବରେ ନାମିତ କରାଯାଇଥିଲା ଯାହା ଖାଦ୍ୟ ଉତ୍ପାଦନ ଏବଂ ପୁଷ୍ଟି ଉପରେ ଦ୍ୱିଗୁଣିତ ଗୁରୁତ୍ୱ ପ୍ରଦାନ କରିଥିଲା। ଏନଏଫଏସଏନଏମ ଅଧୀନରେ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଫସଲ ଉତ୍ପାଦନ ଓ ସୁରକ୍ଷା ପ୍ରଯୁକ୍ତିବିଦ୍ୟା, ଫସଲ ପ୍ରଣାଳୀ ଆଧାରିତ ପ୍ରଦର୍ଶନ, ନୂତନ ଭାବରେ ପ୍ରକାଶିତ କିସମ / ସଂକର ପ୍ରମାଣିତ ବିହନ ଉତ୍ପାଦନ ଏବଂ ବଣ୍ଟନ, ସମନ୍ୱିତ ପୋଷକ ତତ୍ତ୍ୱ ଏବଂ କୀଟ ପରିଚାଳନା ପ୍ରଯୁକ୍ତିବିଦ୍ୟା, ଫସଲ ଋତୁ ସମୟରେ ତାଲିମ ମାଧ୍ୟମରେ ଚାଷୀଙ୍କ କ୍ଷମତା ନିର୍ମାଣ ଇତ୍ୟାଦି କ୍ଷେତ୍ରରେ ଚାଷୀମାନଙ୍କୁ ସହାୟତା ପ୍ରଦାନ କରନ୍ତି।ଏନଏଫଏସଏମ/ଏନଏଫଏସଏମ କେନ୍ଦ୍ରୀୟ ପୁଲ ପାଇଁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ସୁନିଶ୍ଚିତ କରୁଥିବା ବେଳେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ), 2013, ସମାନ ବଣ୍ଟନକୁ ସୁନିଶ୍ଚିତ କରିଥାଏ। ଏନଏଫଏସଏ ଆଇନଗତ ଭାବରେ ଗ୍ରାମୀଣ ଜନସଂଖ୍ୟାର 75 ପ୍ରତିଶତ ଏବଂ ସହରାଞ୍ଚଳ ଜନସଂଖ୍ୟାର 50 ପ୍ରତିଶତଙ୍କୁ ଲକ୍ଷ୍ୟ ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥା (ଟିଡିପିଏସ) ମାଧ୍ୟମରେ ସବସିଡିଯୁକ୍ତ (ବର୍ତ୍ତମାନ ମାଗଣା) ଖାଦ୍ୟଶସ୍ୟ ପାଇବାକୁ ହକଦାର କରିଥାଏ, ଯାହା ସୁନିଶ୍ଚିତ କରେ ଯେ ଦୁର୍ବଳ ପରିବାରଗୁଡ଼ିକ ପର୍ଯ୍ୟାପ୍ତ ଖାଦ୍ୟ ଏବଂ ପୁଷ୍ଟିକର ଖାଦ୍ୟ ପାଆନ୍ତି।ଜାତୀୟ ଖାଦ୍ୟ ସୁରକ୍ଷା ଆଇନ 2013 ଅଧୀନରେ 75 ପ୍ରତିଶତ ଗ୍ରାମୀଣ ଏବଂ 50 ପ୍ରତିଶତ ସହରୀ ଜନସଂଖ୍ୟାକୁ ସାମିଲ କରାଯାଇଛି। ଏହି ଯୋଜନାରେ 81 କୋଟି 35 ଲକ୍ଷ ଲୋକଙ୍କୁ ମାସିକ 5 କିଲୋଗ୍ରାମ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି। ମାଗଣା ଖାଦ୍ୟଶସ୍ୟ ବଣ୍ଟନର ଅବଧି 1 ଜାନୁଆରୀ, 2024 ରୁ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏହାର ଆନୁମାନିକ ଆର୍ଥିକ ବ୍ୟୟ 11.80 ଲକ୍ଷ କୋଟି ଟଙ୍କା, ଯାହାକୁ ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ର ସରକାର ପାଣ୍ଠି ଯୋଗାଇଛନ୍ତି। ଅକ୍ଟୋବର 2025 ସୁଦ୍ଧା, 78.90 କୋଟି ହିତାଧିକାରୀ ଏହି ଆଇନ ଅନୁଯାୟୀ ମାଗଣା ଖାଦ୍ୟ ଶସ୍ୟ ପାଉଛନ୍ତି। ଏହା ସହିତ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନକାରୀ ମାଆ ଏବଂ 6 ମାସରୁ 14 ବର୍ଷ ବୟସର ପିଲାମାନେ ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ) ଏବଂ ପିଏମ-ପୋଷଣ ଯୋଜନା ଅଧୀନରେ ନିର୍ଦ୍ଧାରିତ ପୁଷ୍ଟିକର ମାନଦଣ୍ଡ ଅନୁଯାୟୀ ଖାଦ୍ୟ ପାଇବାକୁ ହକଦାର ବୋଲି ଏହି ଆଇନରେ ବ୍ୟବସ୍ଥା ଅଛି। 6 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ଉଚ୍ଚ ପୁଷ୍ଟିକର ମାନଦଣ୍ଡ ନିର୍ଦ୍ଧାରିତ କରାଯାଇଛି। ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନକାରୀ ମାଆମାନେ ଗର୍ଭାବସ୍ଥାରେ ମଜୁରୀ କ୍ଷତି ଏବଂ ପରିପୂରକ ପୁଷ୍ଟି ପାଇଁ ଆଂଶିକ ଭାବରେ କ୍ଷତିପୂରଣ ଦେବା ପାଇଁ ଅତି କମରେ 6,000 ଟଙ୍କାର ନଗଦ ମାତୃତ୍ୱ ଭତ୍ତା ପାଇବାକୁ ହକଦାର।