
ଭଞ୍ଜନଗର ୨୨/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ପୋଷ୍ଟମାଷ୍ଟର ନାରାୟଣ ପାତ୍ର (୫୫)ଙ୍କର ବୁଧବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା କେଉଁଭଳି ପରିସ୍ଥିତିରେ ହୋଇଛି ସେନେଇ ସଠିକ କିଛି ଜଣାପଡ଼ିନାହିଁ। ନାରାୟଣଙ୍କ ସୁନା ଚେନ ଓ ମନି ପର୍ସ ମିଳୁନାହିଁ। ତେଣୁ ତାଙ୍କର ମୃତ୍ୟୁକୁ ନେଇ ପରିବାର ଲୋକେ ନାନା ସନ୍ଦେହରେ ଅଛନ୍ତି। ଏହାସହ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଚିହ୍ନ ଥିବା କୁହାଯାଉଛି। ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡ଼ିବ। ଭଞ୍ଜନଗର ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦେଇଛି। ଗୁରୁବାର ମୃତଦେହ ବ୍ୟବଛେଦ ହେବ। ନାରାୟଣ ଜଣେ ମେଲାପି ଏବଂ ଧର୍ମପରାୟଣ ବ୍ୟକ୍ତି ଥିଲେ। ତାଙ୍କର ବିୟୋଗରେ ଭଞ୍ଜନଗର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି। ପ୍ରକାଶ ଯେ ନାରାୟଣଙ୍କ ଘର ହେଉଛି ବେଲଗୁଣ୍ଠା କୋଳି ସାହିରେ। ସେ ଭଞ୍ଜନଗର ମୁଖ୍ୟ ଡାକ ଘରେ ବହୁଦିନ ଧରି ଚାକିରି କରିଥିଲେ। ବିଗତ ଦେଢ଼ ବର୍ଷ ହେବ ସେ ମୁଜାଗଡ ବଦଳି ହୋଇଯାଇଥିଲେ। ବୁଧବାର ରାତି ପ୍ରାୟ ୮ ଟା ପରେ କାମ ସାରି କାର୍ଯ୍ୟାଳୟରେ ତାଲା ପକାଇ ନାରାୟଣ ଭଞ୍ଜନଗର ଏଲ ଆଇ ସି କଲୋନୀ ସ୍ଥିତ ଘରକୁ ଫେରୁଥିଲେ। ବାଟରେ ମୁଜାଗଡ ଗ୍ରାମଠାରୁ ଏକ କିମି ଦୂରରେ ନାରାୟଣ ରାସ୍ତା ଉପରେ ଗାଡି ସହ ପଡ଼ିଥିଲେ। ଏହି ସମୟରେ ସେହି ରାସ୍ତାରେ ଯାଉଥିବା ଏକ ଆମ୍ବୁଲାନ୍ସ ଗାଡ଼ି ଚାଳକ ନାରାୟଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ଏଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ନିଆଯାଉଥିଲା। ବାଟରେ ସେ ମୃତ୍ୟୁବରଣ କରିଥିଲେ। ନାରାୟଣ ଡାକ ବିଭାଗର ଜଣେ ଭଦ୍ର ଏବଂ ମେଳାପୀ କର୍ମଚାରୀ ଭାବେ ପରିଚିତ ଥିଲେ।