ବିଦ୍ୟୁତ୍ ବିଲ୍ ଅଧିକ ଆସିବାରୁ ରିଡିଙ୍ଗ୍ ଏଜେଣ୍ଟକୁ ନିର୍ମମ ହତ୍ୟା

ଭଞ୍ଜନଗର (ଓଡିଶା ଟୁଡେ): ବିଦ୍ୟୁତ ବିଲ୍ ପାଇଁ ବେକ କାଟିଦେଲେ । ମିଟର ରିଡିଂ କରିବାକୁ ଆସିଥିଲେ ଯୁବକ । ଆଉ ବିଲ୍ ଅଧିକ ହୋଇଥିବା ଜାଣିବାକୁ ପାଇଥଲେ ଘର ମାଲିକ । ଏହାପରେ ଉଭୟଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ । ପରେ ଉତ୍ତ୍ୟକ୍ତ ହୋଇ ମିଟର ରିଡିଂ କରିବାକୁ ଆସିଥିବା ବାବି ତ୍ରିପାଠୀଙ୍କୁ ଘର ମାଲିକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଭଞ୍ଜନଗର ତାରାସିଂ ଥାନା କୁପାଟି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗାଲେରୀ ଗ୍ରାମର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ (ବାବି ତ୍ରିପାଠୀ) ଆଜି ସକାଳ ସମୟରେ କୁପାଟିକୁ ମିଟର ରିଡିଙ୍ଗ ନେବା ପାଇଁ ଯାଇଥିବା ବେଳେ କୌଣସି କାରଣରୁ ଗ୍ରାମର ଗୋବିନ୍ଦ ସେଠୀ ଧାରୁଆ ଅସ୍ତ୍ରରେ ବେକକୁ ଆକ୍ରମଣ କରି ହତ୍ୟା କରିଥିଲେ। ସ୍ଥାନୀୟ ଲୋକେ ଏହାକୁ ପ୍ରତିରୋଧ କରିଥିଲେ । ଅନ୍ୟ ଜଣେ ବ୍ୟକ୍ତିଙ୍କ ବାମ ହାତ ଆଙ୍ଗୁଠି କଟିଯାଇଥିଲା। ଖବର ପାଇ ତାରାସିଂଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ ପ୍ରକ୍ରିୟା ଜାରି ରଖିଛି । ଅଧିକ ବିଦ୍ୟୁତ ବିଲ୍ ଆସୁଥିବାର ଏନେଇ ଅଭିଯୁକ୍ତ ଓ ମୃତକଙ୍କ ଭିତରେ ବଚସା ହେବାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ଟିପିଏସଓଡିଏଲ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଜନସାଧାରଣ ଟାଟା ପାୱାର ବାରମ୍ବାର ବିଦ୍ୟୁତ ଶୁଳ୍କ ବଢାଉଥିବା ଅଭିଯୋଗ କରୁଥିବା ବେଳେ ନିରୀହ ଠିକା କର୍ମଚାରୀଙ୍କ ଉପରେ ଜନତାଙ୍କ ଆକ୍ରୋଶକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ତେବେ  କର୍ମଚାରୀ ସୁରକ୍ଷାକୁ ନେଇ ଆଗକୁ ଟାଟା ପାୱାର କ’ଣ ପଦକ୍ଷେପ ନେଉଛି ଦେଖିବାକୁ ରହିଲା ।

Leave a Reply

Your email address will not be published. Required fields are marked *