ଦୁର୍ଘଟଣାର ଆଖ୍ଯା ରେ ସତ୍ୟ ଲୁଚାଇବାକୁ ଚାଲିଛି କି ଯୋଜନା!

ଚୌଦ୍ୱାର (ଶିବବ୍ରତ ଦାସ) ରାଜ୍ୟ ଓ ଦେଶରେ ନିଜର ନାମ “ରୋସନ୍” କରିଥିବା ଡ୍ରିମ୍ସ୍ ବିଶ୍ଵବିଦ୍ୟାଳୟ ଏବେ ନିଜେ ଅନେକ ପ୍ରଶ୍ନର ଅନ୍ଧାର ଘେରରେ। ଶିକ୍ଷାର ସ୍ଵପ୍ନ ବିକ୍ରି କରୁଥିବା ଏହି କ୍ୟାମ୍ପସ ଆଜି ନିଜ ଛାତ୍ରଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଟାଙ୍ଗୀ ପୋଲିସର ନଜର ଥିଲେ ମଧ୍ୟ, ସତ୍ୟ ଏପର୍ଯ୍ୟନ୍ତ ଧରା ପଡ଼ୁନି ଏହା ଏକ ବଡ଼ ପ୍ରଶ୍ନ। ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଛାତ୍ର ସୌମ୍ୟ ରଞ୍ଜନ ହଷ୍ଟେଲରେ ରହି ପାଠ ପଢୁଥିଲେ। ଫେବୃଆରୀ ୨୫ ତାରିଖ ରାତିରେ ଗୁରୁତର ଅବସ୍ଥାରେ କ୍ୟାମ୍ପସ ଭିତରେ ଥିବା ପଦ୍ମିନୀ କେୟାର ହସ୍ପିଟାଲ ରେ ଭର୍ତ୍ତି ହେଲେ। କିନ୍ତୁ ଚମତ୍କାର କଥା ହେଉଛି ଘଟଣା ପରେ କଲେଜ୍ କର୍ତ୍ତୃପକ୍ଷ ପରିବାରକୁ ଖବର ଦେବାକୁ ମନେ କଲେନି। ଅନ୍ୟପଟେ, ଜଣେ ସହପାଠୀ ମାନବିକତା ଦେଖାଇ ପରିବାରକୁ ସୂଚନା ଦେଲେ। ଏହା କି ଏକ ଶିକ୍ଷା ପ୍ରତିଷ୍ଠାନର ଦାୟିତ୍ୱବୋଧ? ଘଟଣାକୁ “ଦୁର୍ଘଟଣା”ର ରୂପ ଦେବାର ଚେଷ୍ଟା ହେଲା। କିନ୍ତୁ ମେଡିକାଲ ବେଡ୍‌ରେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଥିବା ସୌମ୍ୟ ଶେଷରେ ପ୍ରାଣ ହରାଇଲେ। ନ୍ୟାୟ ଆଶାରେ ପରିବାର ଫେବୃଆରୀ ୨୮ ତାରିଖରେ ଟାଙ୍ଗୀ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କଲେ। ମାମଲା ରୁଜୁ ହେଲା, ତଦନ୍ତ ଆରମ୍ଭ ହେଲା, କିନ୍ତୁ ଦିନ କଟୁଛି, ଉତ୍ତର ମିଳୁନି। ଏବେ ଅଞ୍ଚଳରେ ଚର୍ଚ୍ଚା, ଯଦି ଏହା ସତରେ ଦୁର୍ଘଟଣା, ତେବେ ବିଳମ୍ବିତ ରାତିରେ ଜଣେ ଛାତ୍ର କେମିତି ବାହାରିଲେ? ସୁରକ୍ଷା କର୍ମୀ କେଉଁଠି ଥିଲେ? ହଷ୍ଟେଲ ଛାଡ଼ି ବାହାରିବା ପାଇଁ କୌଣସି ନିୟମ ଥିଲା କି? ଯଦି ସବୁ କିଛି ନିୟମମାନ୍ୟ ଥିଲା, ତେବେ ସେଇ ରାତିର ଗତିବିଧିର ରେକର୍ଡ କେଉଁଠି? ସ୍ଥାନୀୟଲୋକଙ୍କ କହିବା କଥା ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଯାଞ୍ଚ ହେଲେ “କ୍ଷୀର ପାଣି ଅଲଗା” ହୋଇଯିବ। ତେବେ ପ୍ରଶ୍ନ ହେଉଛି, ସେଇ ଫୁଟେଜ୍ ଯାଞ୍ଚରେ ବିଳମ୍ବ କାହିଁକି? ତଦନ୍ତର ଗତି ଏତେ ଧୀର କାହିଁକି? ଏହା କେବଳ ଜଣେ ଛାତ୍ରଙ୍କ ମୃତ୍ୟୁ ନୁହେଁ ଏହା ଏକ ପ୍ରଣାଳୀର ପରୀକ୍ଷା। ଶିକ୍ଷାର ନାମରେ ଯେଉଁଠାରେ ଭବିଷ୍ୟତ ଗଢ଼ାଯାଏ, ସେଠାରେ ଯଦି ଜୀବନର ସୁରକ୍ଷା ନିଶ୍ଚିତ ନୁହେଁ, ତେବେ ସେଇ “ସ୍ଵପ୍ନ” କାହା ପାଇଁ? ଆଉ କେତେ ଦିନ ଚାଲିବ ଏହି ତଦନ୍ତ? ନା କି ଆଇନର ଆଖିରେ ଧୂଳି ଦେଇ ସତ୍ୟକୁ ଢାଙ୍କି ଦିଆଯିବ? ପୋଲିସ ନିରପେକ୍ଷ ତଦନ୍ତ କରିବେ କି ଚାପରେ ବଶବର୍ତ୍ତୀ ହେବେ! ଏହି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ।
ସୌମ୍ୟଙ୍କ ପରିବାର ସ୍ପଷ୍ଟ କରିଛନ୍ତି ନ୍ୟାୟ ନ ମିଳିଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ। କାରଣ ଏହା କେବଳ ଜଣେ ପୁଅର ମୃତ୍ୟୁ ନୁହେଁ, ଏହା ଏକ ସ୍ଵପ୍ନର ଶବଦାହ।
ଏଭଳି ଘଟଣା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ସରକାରଙ୍କ କାନରେ ପଡୁଛି ତ। ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ପ୍ରଶାସନିକ ଅଧିକାରୀ ନିରବ କାହିଁକି ବୋଲି ପ୍ରଶ୍ନ ଉଠୁଛି।