ରାସ୍ତାକଡ଼ ଜମିରୁ ଉଦ୍ଧାର ଗଳିତ ଶବର ପରିଚୟ ମିଳିଲା

    ବେଲଗୁଣ୍ଠା ୧୩/୦୩ (ବିନାୟକ ଗୌଡ଼): ଗଞ୍ଜମ ଜିଲ୍ଲା ବେଲଗୁଣ୍ଠା ପୋଲିସ ଥାନା ଅନ୍ତର୍ଗତ ଭଞ୍ଜନଗର-ବେଲଗୁଣ୍ଠା ରାସ୍ତାର ନୂଆଗାଁ ନିକଟ ରାସ୍ତାକଡ଼ ଏକ ଜମିରୁ ମଙ୍ଗଳବାର ଦିନ ଉଦ୍ଧାର ହୋଇଥିବା ଗଳିତ ଶବର ପରିଚୟ ମିଳିଯାଇଛି । ଗଳିତ ଶବଟି ଘୁ.ନୂଆଗାଁର ସ୍ବର୍ଗତ ପାଣୁ ଚରଣ ଆପଟ୍ଟଙ୍କ ସାନ ପୁଅ ରତ୍ନାକର ଆପଟ୍ଟ (୫୦)ଙ୍କର ବୋଲି ଜଣାପଡ଼ିଛି । ଏଥିନେଇ ମୃତକଙ୍କ ବଡ଼ ଭାଇ ପ୍ରଭାକର ଆପଟ୍ଟ ଓ ଭଉଣୀ ଖଲ୍ଲି ଆପଟ୍ଟ ଶବକୁ ଚିହ୍ନଟ କରିଥିବା ସୂଚନା ରହିଛି । ନୂଆଗାଁ ପାଣୁ ଚରଣ ଆପଟ୍ଟଙ୍କ ୪ପୁଅ ଓ ଗୋଟିଏ ଝିଅ ମଧ୍ୟରୁ ଦୁଇ ପୁଅଙ୍କ ପୂର୍ବରୁ ମୃତ୍ୟୁ ହୋଇସାରିଥିବା ବେଳେ ଦୁଇ ପୁଅ ପ୍ରଭାକର, ରତ୍ନାକର ଓ ଝିଅ ଖଲ୍ଲି ଜୀବିତ ଥିଲେ । ଇତି ମଧ୍ୟରେ ଗତ ବର୍ଷେ ପୂର୍ବରୁ ପାଣୁ ଚରଣ ଆପଟ ଓ ତାଙ୍କ ସ୍ତ୍ରୀ ଲଳିତା ଆପଟ୍ଟଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ମୃତ୍ୟୁ ପୂର୍ବରୁ ରତ୍ନାକର କୌଣସି କାରଣ ଯୋଗୁଁ ଜେଲରେ ଦଣ୍ଡ ଭୋଗ କରି ଗତ ଫେବୃୟାରୀ ମାସରେ ଜେଲରୁ ମୁକୁଳି ଥିବା କୁହାଯାଉଛି । ତେବେ ଘୁ.ନୂଆଗାଁ ରେ ରତ୍ନାକରର ବଡ଼ ଭାଇକୁ ଛାଡ଼ିଲେ ଅନ୍ୟ କେହି ନାହାନ୍ତି । ଏଣୁ ରତ୍ନାକର ଜେଲରୁ ମୁକୁଳିବା ପରେ ଗାଁକୁ ଜମା ଯାଇ ନ ଥିବା କୁହାଯାଉଛି । ମୃତ ରତ୍ନାକର ଜଣେ ଦୁଷ୍ଟ ପ୍ରକୃତିର ହୋଇଥିବା ବେଳେ ଗତ ପ୍ରାୟ ୧୫ବର୍ଷ ପୂର୍ବେ ପୂର୍ବତନ ସରପଞ୍ଚ ସୁବାଷ ଚନ୍ଦ୍ର ଖଣ୍ଡୁଆଳଙ୍କୁ ମଧ୍ୟ ଆକ୍ରମଣ କରି ଜେଲ ଯାଇଥିବା ଜଣାପଡ଼ିଛି । ଜେଲଯିବା ପୂର୍ବରୁ ରତ୍ନାକର ଗତ ତିନିବର୍ଷ ପୂର୍ବେ ମାନସିକ ଦୁର୍ବଳ ହୋଇ ପ୍ରାୟ ପାଗଳ ଭଳି ସ୍ଥିତିରେ ଥିଲେ ବୋଲି କୁହାଯାଉଛି । ଗତ ଫେବୃୟାରୀରେ ଜେଲରୁ ମୁକୁଳିବା ପରେ ଗାଁକୁ ନ ଯାଇ କିଛି ଖାଇବାକୁ ନ ପାଇ ରତ୍ନାକରଙ୍କ ମୃତ୍ୟୁ ହୋଇଥାଇ ପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ରତ୍ନାକରଙ୍କୁ କେହି ପୂର୍ବ ଶତ୍ରୁତା କାରଣରୁ କିମ୍ବା ଅନ୍ୟ କୌଣସି କାରଣରୁ ହତ୍ୟା କରି ଦେଇ ଚାଷ ଜମିରେ ପିଙ୍ଗି ଦେଇଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ଶବଟି ଅଧିକ ନଷ୍ଟ ହୋଇଯାଇଥିବା ଯୋଗୁଁ ଶବକୁ ବ୍ରହ୍ମପୁର ମେଡିକାଲକୁ ଶବ ବ୍ୟବଛେଦ ପାଇଁ ପଠାଇ ଦିଆଯାଇଥିବା ବେଳେ ବ୍ୟବଛେଦ ରିପୋର୍ଟ ମିଳିବା ପରେ ରତ୍ନାକରଙ୍କ ପ୍ରକୃତ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି । ଗୁରୁବାର ଦିନ ଘୁ.ନୂଆଗାଁ ସରପଞ୍ଚ ଅଚ୍ୟୁତାନନ୍ଦ ସାହୁ ରତ୍ନାକରଙ୍କ ଭାଇ ପ୍ରଭାକର ଓ ଭଉଣୀ ଖଲ୍ଲିଙ୍କୁ ରତ୍ନାକର ର ଅନ୍ତେଷ୍ଟି କାର୍ଯ୍ୟ ପାଇଁ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି ।