
ଚୌଦ୍ଵାର, ୧୫/୩ (ଶିବବ୍ରତ ଦାସ ): ଟାଙ୍ଗୀ ଅଞ୍ଚଳରେ ନିଜକୁ ଏକ “ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ” ବୋଲି ପରିଚୟ ଦେଉଥିବା ଘରୋଇ ସଂସ୍ଥା ଟେଟ୍ରାହେଡ୍ରନ୍ କଲେଜ୍ ଏବେ ଚର୍ଚ୍ଚାର ଝଡ଼ ମଧ୍ୟରେ। ଜଣେ କର୍ମଚାରୀ ଏସିଡ୍ ପିଇ ଅସୁସ୍ଥ ହୋଇଥିବା ଘଟଣା କେବଳ ଏକ ସାଧାରଣ ଘଟଣା ନୁହେଁ—ଏହା ଏହି ସଂସ୍ଥାର ଭିତର ଅବସ୍ଥାକୁ ନେଇ ଅନେକ ଗଭୀର ପ୍ରଶ୍ନ ଉଠାଇଛି। କଲେଜ୍ର ଜଣେ କର୍ମଚାରୀ ଏସିଡ୍ ପିଇ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ଡାକ୍ତରୀ ସେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା କୁହାଯାଉଛି। କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି! ଏପରି ଚରମ ପଦକ୍ଷେପ ପଛରେ କାହାର ହାତ? କେଉଁ ପରିସ୍ଥିତି ଏହି ଘଟଣାକୁ ଜନ୍ମ ଦେଲା? ଏହାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ସନ୍ଦେହ ଓ ଚର୍ଚ୍ଚା ବଢ଼ି ଚାଲିଛି। ଯେଉଁ ସଂସ୍ଥାରେ ଶତାଧିକ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ଗଢ଼ିବାକୁ ପଢ଼ୁଛନ୍ତି, ସେଠାରେ ଏପରି ଘଟଣା ଘଟିବା ଶିକ୍ଷା ପରିବେଶ ଉପରେ ସିଧାସଳଖ ପ୍ରଶ୍ନ ଉଠାଉଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ବାହାରୁ ଚକଚକିଆ ଭବନ, ବଡ଼ ବଡ଼ ବିଜ୍ଞାପନ ଓ ଆକର୍ଷଣୀୟ ପ୍ରତିଶ୍ରୁତି ଦେଖାଇ ଯଦି ଭିତରେ ଏମିତି ଘଟଣା ଘଟେ, ତେବେ ସେହି ସଂସ୍ଥାର ନୀତି ଓ ପରିଚାଳନା ଉପରେ ସନ୍ଦେହ ଉଠିବା ସ୍ୱାଭାବିକ। ଶିକ୍ଷା ଦେବା ନାମରେ ଯଦି ସଂସ୍ଥାର ଭିତରେ ଅସ୍ୱସ୍ଥ ପରିସ୍ଥିତି ସୃଷ୍ଟି ହେଉଛି, ତେବେ ଏହା କେବଳ ଏକ କଲେଜ୍ର ପ୍ରଶ୍ନ ନୁହେଁ, ଏହା ସମାଜ ପାଇଁ ମଧ୍ୟ ଚିନ୍ତାର ବିଷୟ।ଏବେ ଅଞ୍ଚଳବାସୀଙ୍କ ମନରେ ଅନେକ ପ୍ରଶ୍ନ! ଏହି ଘଟଣା କେବଳ ଏକ ଦୁର୍ଘଟଣା, ନା ଏହା ପଛରେ ଲୁଚିଥିବା ଅନ୍ୟ କୌଣସି ଅସୁବିଧାଜନକ ସତ୍ୟ ରହିଛି? ଏବଂ ଯଦି ଏହି ପରିସ୍ଥିତି ଚାଲିଥାଏ, ତେବେ ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କେତେ ସୁରକ୍ଷିତ? ଘଟଣାକୁ ନେଇ ଏବେ ସମସ୍ତଙ୍କ ନଜର ଟେଟ୍ରାହେଡ୍ରନ୍ କଲେଜ୍ର ପ୍ରଶାସନ ଉପରେ। ସତ୍ୟ ସମ୍ମୁଖକୁ ଆସିବ କି ନାହିଁ, ତାହା ସମୟ ହିଁ କହିବ।