ଜଙ୍ଗଲ ଜମିରେ ବେଆଇନ ନିର୍ମାଣ: ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନ ଚିହ୍ନ

ଚୌଦ୍ବାର(ଶିବବ୍ରତ ଦାସ )
ଲୋକଙ୍କ ପାଇଁ ସ୍ୱର ଉଠାଇବା ନାମରେ ଆତ୍ମଘୋଷିତ ନେତା ସାଜିଥିବା ଜନୈକ ବ୍ୟକ୍ତି ଏବେ ନିଜେ ଆଇନକୁ ଅବହେଳା କରୁଥିବା ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, ସେହି ବ୍ୟକ୍ତି ସରକାରୀ ଜଙ୍ଗଲ ଜମିକୁ ମାଡ଼ିବସି ସେଠାରେ ଗୃହ ନିର୍ମାଣ କାମ ଜାରି ରଖିଛନ୍ତି। ଯାହାର ଖାତା ନମ୍ବର ୫୩୨ , ପ୍ଲଟ ନମ୍ବର ୧୬୬୮। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ବେଆଇନ ନିର୍ମାଣ କାର୍ଯ୍ୟ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର କିଛି ଦୂରତାରେ ଚାଲିଥିବା ସତ୍ତ୍ୱେ ମଧ୍ୟ ପ୍ରଶାସନ ନୀରବ ଦର୍ଶକ ଭୂମିକା ନେଇଥିବା ଦେଖିବାକୁ ମିଳିଛି। ଟାଙ୍ଗୀ ଚୌଦ୍ଵାର ତହସିଲ ପ୍ରଶାସନ ହେଉ କି ବନ ବିଭାଗ—କାହାରି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପଦକ୍ଷେପ ନିଆଯାଇନାହିଁ। ଏହା କିନ୍ତୁ ଏହି ଅଞ୍ଚଳରେ ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ସରକାରୀ ଜମିରେ ବେଆଇନ ଦଖଳ ଓ ଗୃହ ନିର୍ମାଣ ଘଟଣା ସାମ୍ନାକୁ ଆସିଥିବା ସତ୍ତ୍ୱେ, ପ୍ରଶାସନ ଆରମ୍ଭରୁ କଡ଼ା ପଦକ୍ଷେପ ନ ନେବାରୁ ପରବର୍ତ୍ତୀ ସମୟରେ ଏଭିକ୍ସନ୍ ପ୍ରକ୍ରିୟାକୁ ନେଇ ଅଧିକାରୀମାନେ ଅସହାୟତା ପ୍ରକାଶ କରୁଥିବା ଦେଖାଯାଇଛି। ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଏବେ ଏହା ନେଇ ଚର୍ଚ୍ଚା ଜୋର ଧରିଛି—ରାଜନୀତିକୁ ଢାଲ କରି ସରକାରୀ ଜମି ଦଖଳ କରିବା ହେଉଛି କି ଏହି ବ୍ୟକ୍ତିଙ୍କ ମୂଳ ଉଦ୍ଦେଶ୍ୟ? ନା କି ପ୍ରଶାସନର ନୀରବ ସମର୍ଥନ ଏହା ପଛରେ କାରଣ? ଅନ୍ୟମାନଙ୍କ ଭୁଲ୍‌ରେ ଗଳା ଫାଟାଇ ସ୍ୱର ଉଠାଇଥିବା ବ୍ୟକ୍ତି ନିଜେ ଯଦି ସରକାରୀ ଜମିକୁ ମାଡ଼ି ବସନ୍ତି, ତେବେ ତାହା କେତେଦୂର ଯୁକ୍ତିଯୁକ୍ତ। ଏହା ଏବେ ସାଧାରଣ ଲୋକଙ୍କ ପ୍ରଶ୍ନ। ପ୍ରଶାସନ କେବେ ଜାଗିବ? ନା କି ଏହି ନୀରବତା ଆଉ ଗୋଟିଏ ବେଆଇନ ଦଖଳକୁ ଉତ୍ସାହିତ କରିବ? ଆଖି ଥାଇ ଅନ୍ଧ କାନ ଥାଇ ବଧିର ପାଲଟି ଥିବା ତହସିଲ ପ୍ରଶାସନ ଏବେ ଆକ୍ସନ ନେବେ ନା ଧୃତରାଷ୍ଟ୍ର ପାଲଟିଯିବେ ତାହା ଦେଖିବାକୁ ବାକି ରହିଲା।