ହିଞ୍ଜିଳି ଘଟଣା ର ତିନି ଦିନ ବିତିଗଲେ ମଧ୍ୟ ଶାସକ ଦଳର ନେତା ମନ୍ତ୍ରୀ ବିଧାୟକ ସାଂସଦ ଙ୍କ ଦେଖା ନାହିଁ

ହିଞ୍ଜିଳିକାଟୁ:୦୮/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ହିଞ୍ଜିଳି ଥାନା ଅନ୍ତର୍ଗତ କେ.ଖରିଡା ଗ୍ରାମରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ନିଜ ଦିଅର ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅଭାବନୀୟ ଘଟଣା ପରେ ମୃତ ମହିଳାଙ୍କ ତିନି ବର୍ଷର ଶିଶୁ ଏବେ ସମସ୍ତଙ୍କ ସହାନୁଭୂତିର କେନ୍ଦ୍ରବିନ୍ଦୁ ହୋଇପଡ଼ିଛି।

ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ଓ ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଶିଶୁଟିଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ବେଳେ, ଆଜି ଘଟଣାସ୍ଥଳକୁ ପରିଦର୍ଶନ କରି ଅନୁଧ୍ୟାନ କରିଛି ରାଜ୍ୟ ମହିଳା କଂଗ୍ରେସ ଟିମ୍। ଟିମ୍ ସଦସ୍ୟମାନେ ଗ୍ରାମବାସୀ ଙ୍କ ସହ ଆଲୋଚନା କରିବା ସହ ଘଟଣା ପ୍ରତି ଗଭୀର ଶୋକ ପ୍ରକାଶ କରିଥିଲେ।

ତେବେ ଏହି ଘଟଣାକୁ ନେଇ ଶାସକ ଦଳ ଉପରେ ବର୍ଷିଛି ମହିଳା କଂଗ୍ରେସ। ଘଟଣାର ଦୁଇ ଦିନ ବିତିଯାଇଥିଲେ ମଧ୍ୟ ଶାସକ ଦଳର କୌଣସି ମନ୍ତ୍ରୀ, ବିଧାୟକ, ସାଂସଦ କିମ୍ବା ସ୍ଥାନୀୟ ନେତା-ନେତ୍ରୀ ଘଟଣାସ୍ଥଳକୁ ଆସିନଥିବା ନେଇ ସେମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ମୃତ ମହିଳାଙ୍କ ତିନି ବର୍ଷର ଶିଶୁକୁ ଦେଖିବାକୁ କିମ୍ବା ସହଯୋଗର ହାତ ବଢ଼ାଇବାକୁ ମଧ୍ୟ କେହି ଆଗକୁ ଆସିନଥିବା ଦେଖିବାକୁ ମିଳିଛି।

ମହିଳା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଯେଉଁ ସରକାର ନାରୀ ସୁରକ୍ଷା ଓ ମହିଳା ସଶକ୍ତିକରଣ ନାମରେ ବଡ଼ ବଡ଼ କଥା କହୁଛି, ଏହି ଘଟଣା ହେଉଛି ସେହି ବାସ୍ତବ ଚିତ୍ର। ନାରୀଙ୍କ ସୁରକ୍ଷା ପ୍ରତି ସରକାର କେତେ ସଚେତନ, ତାହା ଏହି ଘଟଣା ପରେ ସ୍ପଷ୍ଟ ହୋଇଯାଇଛି ବୋଲି ସେମାନେ କହିଛନ୍ତି।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଓ ଅସନ୍ତୋଷ ଲାଗି ରହିଥିବା ବେଳେ, ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ତିନି ବର୍ଷ ର ଛୁଆ କୁ ସରକାରୀ ସହାୟତା ଦେବା ପାଇଁ ସାଧାରଣରେ ଦାବି ଜୋର ଧରିଛି।