
ଚୌଦ୍ଵାର ୧୧|୫ (ଶିବବ୍ରତ ଦାସ ): କଟକ ଜିଲ୍ଲାର ଟାଙ୍ଗୀ–ଚୌଦ୍ୱାର ବ୍ଲକରେ ଏବେ ପ୍ରଶାସନିକ ଅବ୍ୟବସ୍ଥା ଚରମ ସୀମାକୁ ପହଞ୍ଚିଥିବା ଦେଖା ଦେଉଛି। ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ (ବି.ଏଲ.ଓ) କାର୍ଯ୍ୟରେ ଥିବା କର୍ମଚାରୀଙ୍କୁ ଜନଗଣନା କାମରେ ନିଯୁକ୍ତ କରାଯିବ ନାହିଁ। ଯାହାର ଚିଠି ସଂଖ୍ୟା ୧୯୪୬ ତା-୧୯. ୦୩. ୨୬ ରେ ସବୁ ଜିଲ୍ଲାକୁ ଚିଠି ମାଧ୍ୟମରେ ହୋମ ଇଲେକ୍ସନ ଡିପାର୍ଟମେଣ୍ଟ ଅବଗତି କରିଥିଲେ କିନ୍ତୁ ଟାଙ୍ଗୀ–ଚୌଦ୍ୱାର ବ୍ଲକ ପ୍ରଶାସନ ବୋଧହୁଏ ନିଜକୁ ସରକାର ଠାରୁ ମଧ୍ୟ ବଡ଼ ଭାବିବା ଆରମ୍ଭ କରିଛି।(ବି.ଏଲ.ଓ) ଭାବେ କାର୍ଯ୍ୟରତ ଶ୍ରୀ ଦିଲୀପ ଲେଙ୍କା, ଶ୍ରୀ ଅକ୍ଷୟ ହାତୀ ଓ ଶ୍ରୀ ପ୍ରସନ୍ନ ସ୍ୱାଇଁଙ୍କୁ ଜନଗଣନା ସୁପରଭାଇଜର ଭାବେ ନିଯୁକ୍ତି ଦିଆଯାଇଛି। ଏହି ଘଟଣା କୁ ଦେଖିଲେ ଲାଗୁଛି ଯେମିତି ମୋହନ ସରକାରକୁ ବଦନାମ କରିବାକୁ ଟାଙ୍ଗୀ ଚୌଦ୍ଵାର ବ୍ଲକ ପ୍ରଶାସନ ଶପଥ ନେଇଛି। ସରକାରୀ ନିୟମକୁ ଏଭଳି ଖୋଲାଖୋଲି ପାଦତଳେ ଦଳିବାର ସାହସ କେଉଁଠୁ ଆସିଲା ? ବ୍ଲକ କାର୍ଯ୍ୟାଳୟର କାର୍ଯ୍ୟଶୈଳୀକୁ ଦେଖି ଲାଗୁଛି—ଏଠାରେ ନିୟମ ନୁହେଁ, “ମୁଁ ଯାହା କହିବି ସେଇଟା ଆଇନ” ନୀତିରେ ପ୍ରଶାସନ ଚାଲିଛି। ସରକାରୀ ନିର୍ଦ୍ଦେଶ ଯଦି ଫାଇଲ ଭିତରେ ପଡ଼ି ଧୁଳି ଖାଇବ, ତେବେ ସାଧାରଣ ଲୋକେ କାହା ଉପରେ ଭରସା କରିବେ ? ସବୁଠାରୁ ଦୁଃଖଦ କଥା—ଯେଉଁମାନେ ନିୟମ ପାଳନ କରାଇବାକୁ ଥିବେ, ସେମାନେ ନିଜେ ଯଦି ନିୟମ ଭାଙ୍ଗିବାରେ ବ୍ୟସ୍ତ ରହିବେ, ତେବେ ଏହାକୁ ପ୍ରଶାସନ କୁହାଯିବ ନା ପ୍ରହସନ ?ଏବେ ଅଞ୍ଚଳବାସୀଙ୍କ ଦାବୀ—ଏହି ଘଟଣାର ତୁରନ୍ତ ନିରପେକ୍ଷ ତଦନ୍ତ କରାଯାଉ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯାଉ। କାରଣ ଲୋକେ ଏବେ ପ୍ରଶାସନର କାମ ନୁହେଁ, ପ୍ରଶାସନର ଅବହେଳା ଦେଖିଦେଖି କ୍ଲାନ୍ତ ଅନୁଭବ କଲେଣି।