
ଚୌଦ୍ୱାର (ଶିବବ୍ରତ ଦାସ ): ସରକାରୀ କାର୍ଯ୍ୟାଳୟ ଏବେ ଲୋକସେବାର କେନ୍ଦ୍ର ନା ଦଳୀୟ ନେତାଙ୍କ “ପାୱାର ଶୋ” ର ମଞ୍ଚ — ଏହି ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ କାର୍ଯ୍ୟାଳୟରେ ଘଟିଥିବା ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ରାଜନୀତିକ ମହଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଆଠଗଡ଼ ଏବଂ ସାଲେପୁର ନିର୍ବାଚନ ମଣ୍ଡଳୀର ଦୁଇଜଣ ବିଜେପି ନେତା ଅଭୟ ବାରିକ ଓ ଅରିନ୍ଦମ ରାୟ ପୋଲିସ ଉପସ୍ଥିତିରେ ବ୍ଲକ୍ ଅଧିକାରୀଙ୍କ ଚ୍ୟାମ୍ବରରେ ଯେଭଳି ଉତ୍ତେଜିତ ଓ ଅସଭ୍ୟ ଆଚରଣ କରିଥିବା ଅଭିଯୋଗ ହେଉଛି, ତାହାକୁ ନେଇ ଏବେ ଲୋକମାନେ ପଚାରୁଛନ୍ତି — “ସୁଶାସନ” ଏହାକୁ କୁହାଯାଏ କି?
ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ସମସ୍ତ ଘଟଣା ପୋଲିସ ସାମ୍ନାରେ ଘଟିଥିଲା। କିନ୍ତୁ ପୋଲିସର ଭୂମିକା ଦେଖି ଲୋକଙ୍କ ମନରେ ପ୍ରଶ୍ନ — ସେମାନେ ସୁରକ୍ଷା ଦେବାକୁ ଥିଲେ ନା କେବଳ “ନିରବ ଦର୍ଶକ” ହୋଇ ରହିବାକୁ? ବ୍ଲକ୍ କାର୍ଯ୍ୟାଳୟ ଭିତରେ ଅଧିକାରୀଙ୍କୁ ଉତ୍ୟକ୍ତ କରାଯାଉଛି, ବିଧାୟକଙ୍କୁ ନେଇ କଟାକ୍ଷ ହେଉଛି, ଆଉ ପ୍ରଶାସନ ମାତ୍ର “ଲିଖିତ ଅଭିଯୋଗ ଆସିଲେ ଦେଖିବୁ” ନୀତିରେ ଚାଲିଛି।
ଏବିଡିଓଙ୍କ “ମୁଁ ମର୍ମାହତ” ବକ୍ତବ୍ୟ ଏବେ ସରକାରୀ କର୍ମଚାରୀଙ୍କ ଅସହାୟତାର ଜୀବନ୍ତ ଚିତ୍ର ପାଲଟିଛି। ଯେଉଁ ଅଧିକାରୀମାନେ ସରକାରୀ କାମ କରିବାକୁ ଥିବେ, ସେମାନେ ଯଦି ନିଜ ଅଫିସରେ ସୁରକ୍ଷିତ ନୁହନ୍ତି, ତେବେ ସାଧାରଣ ଲୋକ କେଉଁଠି ଯିବେ?
ଅନ୍ୟପଟେ ବିଜେଡି ପକ୍ଷରୁ ଲିଖିତ ଅଭିଯୋଗ ପରେ ରାଜନୀତି ଆଉ ତେଜ ହୋଇଛି। ଦଳ ଚେତାବନୀ ଦେଇଛି — ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହୁଏ, ତେବେ ଶତାଧିକ କର୍ମୀ ଧାରଣାରେ ବସିବେ। ଏବେ ସମସ୍ତଙ୍କ ନଜର ଭାରତୀୟ ଜନତା ପାର୍ଟି ଉପରେ। ଦଳ ନିଜ ନେତାଙ୍କ ବିରୋଧରେ କୌଣସି ପଦକ୍ଷେପ ନେବ କି, ନା “ଦଳୀୟ ପ୍ରଭାବ” ର ଛତା ତଳେ ଘଟଣାକୁ ଚାପି ଦିଆଯିବ?
ସରକାର ଏକପଟେ “ସୁଶାସନ” ର ଡ଼ିଙ୍ଗା ପିଟୁଥିବା ବେଳେ, ଅନ୍ୟପଟେ ସରକାରୀ କାର୍ଯ୍ୟାଳୟ ଭିତରେ ଏଭଳି “କଙ୍ଗାରୁ କୋର୍ଟ” ଚାଲିବା ଘଟଣା ଲୋକତନ୍ତ୍ର ପାଇଁ କେତେ ଶୁଭ ସଙ୍କେତ — ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଏବେ ବିକାଶର କେନ୍ଦ୍ର ନା ରାଜନୈତିକ ଦାଦାଗିରିର ନୂଆ ଠିକଣା — ସେହି ପ୍ରଶ୍ନର ଉତ୍ତର ଅପେକ୍ଷାରେ ଅଞ୍ଚଳବାସୀ।