୧୪ ଦଫା ଦାବିରେ ରାଜପଥକୁ ଓହ୍ଲାଇଲେ ଅଙ୍ଗନବାଡ଼ି କର୍ମୀ

ନୂଆପଡ଼ା,୨୭/୫(ପରମେଶ୍ୱର ମେହେର ): ନୂଆପଡା ଜିଲ୍ଲାରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ନିଜର ହକ ଏବଂ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାଜପଥକୁ ଓହ୍ଲାଇଛନ୍ତି ଅଙ୍ଗନୱାଡି କର୍ମୀ। ନୂଆପଡା ଜିଲ୍ଲାର ଶତାଧିକ ଅଙ୍ଗନୱାଡି କର୍ମୀ ଓ ସହାୟିକା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ୧୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଦୀର୍ଘ ଦିନ ଧରି ଚାଲିଆସୁଥିବା ସମସ୍ୟାର ଯଦି ଶୀଘ୍ର ସମାଧାନ ନହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ସେମାନେ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି।
କର୍ମୀମାନଙ୍କ ଅଭିଯୋଗ ଅନୁଯାୟୀ, ଅଙ୍ଗନୱାଡି କେନ୍ଦ୍ର ପରିଚାଳନା ପାଇଁ ଆବଶ୍ୟକ ଅର୍ଥ ସଠିକ ସମୟରେ ମିଳୁନାହିଁ। ଯାହାଫଳରେ କେନ୍ଦ୍ର ଚଳାଇବା ପାଇଁ ସେମାନେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରୁଛନ୍ତି କିମ୍ବା ବାଧ୍ୟ ହୋଇ ଧାରକରଜ କରୁଛନ୍ତି। ସବୁଠାରୁ ଦୁଃଖର କଥା ହେଉଛି, କୋମଳମତି ଶିଶୁମାନଙ୍କ ଖାଦ୍ୟ ବାବଦରେ ମିଳୁଥିବା ପାଉଣା ମଧ୍ୟ ମାସ ମାସ ଧରି ବିଳମ୍ବ ହେଉଛି, ଯାହାଦ୍ୱାରା ଶିଶୁମାନଙ୍କ ପୋଷଣ ଓ ଖାଦ୍ୟ ଯୋଗାଣ ବ୍ୟବସ୍ଥା ଗମ୍ଭୀର ଭାବେ ପ୍ରଭାବିତ ହେଉଛି।
​ଏହି ୧୪ ଦଫା ଦାବିପତ୍ରରେ କର୍ମୀ ଓ ସହାୟିକାଙ୍କୁ ନିୟମିତ ଦରମା ପ୍ରଦାନ କରିବା ସହ ୨୦୨୪ ମସିହାରୁ ବକେୟା ଥିବା “ମମତା” କାର୍ଯ୍ୟକ୍ରମର ଇନସେଣ୍ଟିଭ୍‌ ତୁରନ୍ତ ପ୍ରଦାନ କରିବାକୁ ଦାବି କରାଯାଇଛି। ଏହା ବ୍ୟତୀତ ପିଲାମାନଙ୍କର ଜୋତା କିଣା ଅର୍ଥ ଏବଂ କିଶୋରୀ ବାଳିକାମାନଙ୍କ ପୋଷଣ ଅନୁଦାନକୁ ଶୀଘ୍ର ପ୍ରଦାନ କରିବା ପାଇଁ ସେମାନେ ଦାବି କରିଛନ୍ତି।
ସମସ୍ୟା ଏତିକିରେ ସରିନାହିଁ, ଅଙ୍ଗନୱାଡି କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ମାସ ମାସ ଧରି କେନ୍ଦ୍ରଗୁଡିକୁ ଚାଉଳ ଯୋଗାଣ ବନ୍ଦ ରହିଛି। କଣ୍ଟିଜେନ୍ସି ଫଣ୍ଡର ବକେୟା ଟଙ୍କା ମିଳୁନାହିଁ କି କେନ୍ଦ୍ର ଚାଲୁଥିବା ଭଡା ଘରର ଭଡା ପ୍ରଦାନ କରାଯାଉନାହିଁ। ଡିଜିଟାଲ୍ କାମ ପାଇଁ ମୋବାଇଲ୍ ରିଚାର୍ଜ ଭତ୍ତା, ଅନୁପସ୍ଥିତି ଭତ୍ତା ଏବଂ ଦୀର୍ଘ ଦିନର ବିଦ୍ୟୁତ ବିଲ୍ ମଧ୍ୟ ବକେୟା ପଡ଼ିରହିଛି।
​ଅନ୍ୟପକ୍ଷରେ, ୬୦ ବର୍ଷ ପରେ ଫିଟନେସ ସର୍ଟିଫିକେଟ ଆଧାରରେ ପୁନଃ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନହେବା ଏବଂ ଦୀର୍ଘ ୩ ବର୍ଷ ଧରି ସୁପରଭାଇଜରମାନଙ୍କ ବଦଳି ନ ହେବାକୁ ନେଇ କର୍ମୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି।
ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ଅଙ୍ଗନୱାଡି ସଂଘର ସମ୍ପାଦିକା ଚନ୍ଦ୍ରପ୍ରଭା ପାଣିଗ୍ରାହୀ, ସଭାନେତ୍ରୀ ଲୋଭ ଲୁହାରଙ୍କ ସମେତ ପଦ୍ମିନୀ ଶବର, ତପୋବନ୍ତି ଦୁରିଆ, ରଶ୍ମିତା ପ୍ରଧାନ, , ଭାନୁପ୍ରିୟ ନାୟକ ଏବଂ ମୀନା ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡା ଜିଲ୍ଲାର ପାଞ୍ଚଟି ବ୍ଲକରୁ ଆସିଥିବା ଶତାଧିକ କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଜିଲ୍ଲା ପ୍ରଶାସନ ନିକଟରେ ନିଜର ଦୁଃଖ ଗୁହାରି କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା, ଜିଲ୍ଲା ପ୍ରଶାସନ ଏହି ୧୪ ଦଫା ଦାବି ଉପରେ କେବେ ଏବଂ କିପରି ପଦକ୍ଷେପ ନେଉଛନ୍ତି।