ସିନାପାଲି ବ୍ଲକ୍ ରେ ମୌଳିକ ସମସ୍ୟା ଉତ୍କଟ ରୂପରେ

ସିନାପାଲି, ୨୯/୦୫ (ପରମେଶ୍ୱର ମେହେର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ସିନାପାଲି ଅଞ୍ଚଳରେ ମୌଳିକ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ଉତ୍କଟ ପାନୀୟ ଜଳ ସଙ୍କଟ, ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା, ଶୋଚନୀୟ ରାସ୍ତାଘାଟ ଏବଂ ଅଘୋଷିତ ବିଦ୍ୟୁତ୍ କାଟ୍ ସାଧାରଣ ଜନଜୀବନକୁ ସମ୍ପୂର୍ଣ୍ଣ ରୂପେ ଅସୁବ୍ୟସ୍ତ କରିପକାଇଛି ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ସମସ୍ୟାର ପାହାଡ଼ ଛିଡ଼ା ହୋଇଥିବା ବେଳେ ପ୍ରଶାସନିକ ଉଦାସୀନତା କାରଣରୁ ଏହାର ସ୍ଥାୟୀ ସମାଧାନ ଆଜି ବି ଅଧୁରା ରହିଛି।
ସହରର ପ୍ରମୁଖ ସମସ୍ୟା ପାଲଟିଛି ଡ୍ରେନେଜ୍ ଅବ୍ୟବସ୍ଥା। ନାଳଗୁଡ଼ିକ ଆବର୍ଜନାରେ ଭର୍ତ୍ତି ହୋଇ ରହିଥ‌ିବାରୁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି। ଫଳରେ ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଅସ୍ବାସ୍ଥ୍ୟକର ପରିବେଶ ଉପୁଜୁଛି। ଯଦିଓ ପ୍ରଶାସନ ପକ୍ଷରୁ ସଫେଇ କାର୍ଯ୍ୟ କରାଯାଉଛି, ତଥାପି ଜନସାଧାରଣଙ୍କ ଅସଚେତନତା ଯୋଗୁଁ ପଲିଥୁନ୍ ଓ ଘରୋଇ ବର୍ଜ୍ୟବସ୍ତୁ ପୁଣିଥରେ ନାଳରେ ଜମା ହେଉଛି। ସମସ୍ୟାରି ସ୍ଥାୟୀ ସମାଧାନ ପାଇଁ ନିୟମିତ ସଫେଇ ସ‌ହ ବ୍ୟାପକ ଜନସଚେତନତାର ଆବଶ୍ୟକ‌ତା ରହିଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସଙ୍କଟ ସ୍ଥାନୀୟ ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି। ଉଦନ୍ତୀ ନଦୀର ଜଳସୁର ହ୍ରାସ ପାଇଥିବାରୁ ପଞ୍ଚାୟତ ପକ୍ଷରୁ ନଦୀଗର୍ଭରେ ଚୁଆ (ଚହଲା) ଖୋଳାଯାଇ ପାଣି ସଂଗ୍ରହ କରାଯାଉଛି। ତେବେ ଏଭଳି ସଙ୍କଟାପନ୍ନ ସ୍ଥିତିରେ କିଛି ଅଞ୍ଚଳରେ ଚାଷୀମାନେ ମୋଟର ଲଗାଇ ନଦୀରୁ ବ୍ୟାପକ ପରିମାଣରେ ପାଣି ଉଠାଉଥ‌ିବା ଅଭିଯୋଗ ହୋଇଛି। ଜୀବିକା ପାଇଁ କୃଷି କାର୍ଯ୍ୟ ଜରୁରୀ ହୋଇଥିଲେ ମଧ୍ୟ ହଜାର ହଜାର ଲୋକଙ୍କ ଶୋଷ ମେଣ୍ଢାଇବାକୁ ଅଣଦେଖା କରି ଅନିୟନ୍ତ୍ରିତ ଭାବେ ପାଣି ଉଠାଇବାକୁ ସାଧାରଣରେ ନିନ୍ଦା କରାଯାଇଛି। ତେଣୁ ଚାଷ ଏବଂ ପାନୀୟ ଜଳ ପାଇଁ ପ୍ରଶାସନ ତୁରନ୍ତ ପୃଥକ୍ ବ୍ୟବସ୍ଥା କରିବାକୁ ଦାବି ଜୋରଧରିଛି
ଅନ୍ୟପକ୍ଷରେ ସିନାପାଲି ବ୍ଲକ୍‌ର ବିଭିନ୍ନ ରାସ୍ତାଘାଟ ଭାଙ୍ଗିରୁଜି ମରଣଯନ୍ନାରେ ପରିଣତ ହୋଇଛି। ଖାଲଖମା ପୂର୍ଣ୍ଣ ରାସ୍ତାରେ ଯାତାୟାତ କରିବା ବିପଜ୍ଜନକ ହୋଇପଡ଼ିଛି ଓ ଲୋକେ ଦୁର୍ଘଟଣା ଆଶଙ୍କାରେ ଯାତ୍ରା କରୁଛନ୍ତି। ଆଗକୁ ବର୍ଷା ଦିନ ଆସୁଥିବାରୁ ରାସ୍ତାର ଅବସ୍ଥା ଆହୁରି ସଙ୍ଗିନ ହେବ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି।
ବିଦ୍ୟୁତ୍ ସମସ୍ୟା ଲୋକଙ୍କ ଅସନ୍ତୋଷକୁ ଚରମ ସୀମାରେ ପହଞ୍ଚାଇଛି। ସିନାପାଲି ସ‌ହର ସମେତ ଆଖପାଖ ଅଞ୍ଚଳର ଅଧିକାଂଶ ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇପଡ଼ିଥିବାରୁ ସନ୍ଧ୍ୟା ହେଲେ ସହର ଅନ୍ଧକାରରେ ବୁଡ଼ି ଯାଉଛି! ବକେୟା ବିଲ୍ ଆଳରେ କେତେକ ସ୍ଥାନରେ ଷ୍ଟିଟ୍ ଲାଇଟ୍ ସଂଯୋଗ ମଧ୍ୟ କାଟି ଦିଆଯାଇଛି। ଏହାବ୍ୟତୀତ ସାମାନ୍ୟ ପବନ ବହିଲେ କିମ୍ବା ଛୋଟମୋଟ କାରଣରୁ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହୁଥ‌ିବାରୁ ଗ୍ରୀଷ୍ମ ପ୍ରବାହରେ ଲୋକେ ତହଳବିକଳ ହେଉଛନ୍ତି।ତୁରନ୍ତ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଏହିସବୁ ଗୁରୁତ୍ବପୂର୍ଣ୍ଣ ସମସ୍ୟାର ଅନୁଧ୍ୟାନ କରି ପାନୀୟ ଜଜ, ବିଦ୍ୟୁତ୍, ରାସ୍ତାଘାଟ ଓ ଡ୍ରେନେଜ୍ ବ୍ୟବସ୍ଥାର ସ୍ଥାୟୀ ସମାଧାନ ଦିଗରେ ଆବଶ୍ୟକ ତଥା ଦୃଢ଼ ପଦକ୍ଷେପ ନେବାକୁସାଧାରଣରେ ଦାବି ହୋଇଛି।