
ଚୌଦ୍ୱାର (ଶିବବ୍ରତ ଦାସ ) ଟିପିଏମ ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ବଢ଼ୁଥିବା ଗୋ-ଚୋରି ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗାଈ, ବାଛୁରୀ ଓ ଷଣ୍ଢ ଚରିବାକୁ ଯାଇ ନିଖୋଜ ହେଉଥିବା ଅଭିଯୋଗ ବାରମ୍ବାର ଆସୁଥିଲେ ମଧ୍ୟ ଏହାକୁ ରୋକିବାରେ ପ୍ରଶାସନର ବିଫଳତାକୁ ନେଇ ପ୍ରଶ୍ନ ଉଠିଛି। ଏହାର ପ୍ରତିବାଦରେ ନବଗଠିତ ମହାଦେବ ସେନା ଆଜି TPM ଫାଣ୍ଡି ସମ୍ମୁଖରେ ଗର୍ଜନ କରିଛି। ସଂଗଠନର ସଦସ୍ୟମାନେ ଏକତ୍ରିତ ହୋଇ ଗୋ-ତସ୍କରୀ ଏବଂ ଗୋ-ହତ୍ୟା ବିରୋଧରେ ସ୍ୱର ଉଠାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଫାଣ୍ଡି ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଦାବିପତ୍ରରେ ଗୋମାତାଙ୍କୁ ରାଷ୍ଟ୍ରୀୟ ପଶୁ ଘୋଷଣା କରିବା, କଡ଼ା ଗୋ-ସୁରକ୍ଷା ଆଇନ ପ୍ରଣୟନ ଓ ଗୋ-ତସ୍କରଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ମହାଦେବ ସେନାର ଆଗଧାଡ଼ିର ସଦସ୍ୟ ରମେଶ ନାୟକ କହିଛନ୍ତି ଯେ, ଗୋ-ତସ୍କରୀ କେବଳ ଏକ ଅପରାଧ ନୁହେଁ, ଏହା ହିନ୍ଦୁ ଭାବାବେଗ ଉପରେ ସିଧାସଳଖ ଆଘାତ। ସେ ଅଭିଯୋଗ କରିଛନ୍ତି ଯେ, କିଛି ଅସାଧୁ ବ୍ୟକ୍ତି ଓ ଦଲାଲଙ୍କ ସହଯୋଗରେ ଏହି କାରବାର ଚାଲିଛି। ଏଭଳି କାର୍ଯ୍ୟରୁ ନିବୃତ୍ତ ନ ହେଲେ ମହାଦେବ ସେନା ଚୁପ୍ ବସିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ସେ ଆହୁରି କହିଛନ୍ତି, “ପ୍ରଶାସନ ଯଦି ତସ୍କରଙ୍କ ବିରୋଧରେ କଡ଼ା ପଦକ୍ଷେପ ନ ନିଏ, ତେବେ ଆଗାମୀ ଦିନରେ ଶତାଧିକ ଯୁବକଙ୍କୁ ସାଙ୍ଗରେ ନେଇ ମହାଦେବ ସେନା ରାଜରାସ୍ତାକୁ ଓହ୍ଲାଇବ ଏବଂ ବ୍ୟାପକ ଆନ୍ଦୋଳନ କରିବ।” ମହାଦେବ ସେନାର ଏହି ଆନ୍ଦୋଳନକୁ ଅଞ୍ଚଳବାସୀ ସମର୍ଥନ ଜଣାଇଥିବା ବେଳେ, ଗୋ-ଚୋରି ଘଟଣାର ପର୍ଦ୍ଦାଫାଶ ଓ ଦୋଷୀଙ୍କ ଗିରଫ ଦାବି ଜୋର ଧରିଛି।