ଆଇ ଫୋନ୍ ଛଡ଼ାଇ ମାଡ଼ ମାରିବା ଅଭିଯୋଗରେ ଦୁଇ ଗିରଫ, ପଲସର ଜବତ

ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଆଇ ଫୋନ୍ ଛଡ଼ାଇ ନେଇ ମାଡ଼ ମାରିବା ଘଟଣାରେ ଭଞ୍ଜନଗର ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଯୁବକ ହେଲେ ବାଲିଗୁଡ଼ା ନୂଆଁ ସାହିର ବଳରାମ ପାତ୍ର ଏବଂ ନୟାଗଡ଼ ଜିଲ୍ଲା ଦୁର୍ଗା ପ୍ରସାଦ ଅଞ୍ଚଳର ବିଜୟ ପ୍ରଧାନ । ଅଭିଯୁକ୍ତ ବିଜୟ ମଧ୍ୟ ବର୍ତ୍ତମାନ ବାଲିଗୁଡ଼ା ଅଞ୍ଚଳରେ ବାସ କରୁଥିବା ପୋଲିସ ସୂଚନା ଦେଇଛି ।
ସୂଚନା ଅନୁସାରେ ଗତ ୧୩ ତାରିଖ ରାତି ପ୍ରାୟ ୯.୩୦ ସମୟରେ ଭଞ୍ଜନଗର ଭେଜିପୁଟ୍ ନୂଆଁ ସାହି ନିକଟରେ ଦୁଇ ଅଭିଯୁକ୍ତ ଏକ ପଲସର ବାଇକ୍ ରେ ଆସି ଭଞ୍ଜନଗର ଲଣ୍ଡେଇ ସାହିର ଶୁଭ୍ର ପ୍ରତୀକ ପାଢ଼ୀ ଙ୍କ ଆଇ ଫୋନ୍ ୧୪ ପ୍ରୋ ମୋବାଇଲ୍ ଛଡ଼ାଇ ନେବା ସହ ତାଙ୍କୁ ମାଡ଼ ମାରି ଘଟଣା ସ୍ଥଳରୁ ଚଂପଟ ମାରିଥିଲେ । ଅଭିଯୋଗକାରୀ ଶ୍ରୀ ପାଢ଼ୀ ଏନେଇ ଭଞ୍ଜନଗର ଥାନାରେ ଏକ ଏତଲା ଦେଇଥିଲେ । ଭଞ୍ଜନଗର ପୋଲିସ କେଶ୍ ନଂ ୫୮୪ ରୁଜୁ କରି ଏସଆଇ ସମୀର କୁମାର ସେଠୀଙ୍କ ନେତୃତ୍ୱରେ ତଦନ୍ତ ଚଳାଇଥିଲା । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଭାରତୀୟ ନ୍ୟାୟ ସଂହିତା ସେକ୍ସନ ୩୦୯(୬) ରେ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ପଲସର ବାଇକ୍ ଓ ଛଡ଼ାଇ ନେଇଥିବା ଆଇ ଫୋନ୍ ୧୪ ପ୍ରୋ ମୋବାଇଲ୍ ଜବତ କରି କୋର୍ଟ ଚାଲାଣ କରିଛି।