ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସୁସ୍ଥତାକୁ ଗୁରୁତ୍ୱ ଦେଇ ଭଞ୍ଜନଗର ଥାନା ପକ୍ଷରୁ ଏକ ବୃହତ୍ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଭଞ୍ଜନଗର ୨୩/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନଙ୍କ ସହଯୋଗରେ ଆୟୋଜିତ ଏହି ଶିବିରରେ ସହର ଓ ସଂଲଗ୍ନ ଅଞ୍ଚଳର ଶତାଧିକ ବରିଷ୍ଠ ନାଗରିକ ଯୋଗଦେଇଥିଲେ।
ଶିବିରରେ ବରିଷ୍ଠ ନାଗରିକମାନଙ୍କ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଡାକ୍ତରୀ ପରାମର୍ଶ, ରକ୍ତଚାପ, ରକ୍ତଶର୍କରା ଭଳି ବିଭିନ୍ନ ମୌଳିକ ସ୍ୱାସ୍ଥ୍ୟ ଯାଞ୍ଚ ସେବା ଯୋଗାଇ ଦିଆଯାଇଥିଲା। ଡାକ୍ତରମାନେ ବୟସ୍କ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ଓ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ।
ଭଞ୍ଜନଗର ପୋଲିସର ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବରିଷ୍ଠ ନାଗରିକମାନଙ୍କ କଲ୍ୟାଣ ସହ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା। ସାମାଜିକ ଦାୟିତ୍ୱବୋଧ ଓ ମାନବିକତାର ଏହି ପ୍ରୟାସକୁ ସାଧାରଣ ଲୋକେ ପ୍ରଶଂସା କରିଛନ୍ତି। ଆଜି ସମୁଦାୟ ୧୦୬ ଜଣ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ଏହି ମାଗଣା ସ୍ୱାସ୍ଥ୍ୟ ଶିବିର ଥାନାଧିକାରୀ ଜୀବନାନନ୍ଦ ଜେନା ଆୟୋଜନ କରିଥିବାରୁ ଭଞ୍ଜନଗର ଜନ ସାଧାରଣ ଭୁରି ଭୁରି ପ୍ରଶଂସା କରିଛନ୍ତି।