ବାଘମରା ପାହଡରୁ କଙ୍କାଳ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ; ନିଖୋଜ ବ୍ୟକ୍ତିଙ୍କ ହୋଇଥିବା ଅନୁମାନ!

ଭଞ୍ଜନଗର,୨୪/୦୬ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଦଦରଲୁଣ୍ଡା ପଞ୍ଚାୟତ ଜି.ରମ୍ଭା ନିକଟ ଏକ ଜଙ୍ଗଲର ପାହାଡ ଉପରୁ ଏକ ନର କଙ୍କାଳ ଉଦ୍ଧାର ହୋଇଛି। ବାଘମରା ଜଙ୍ଗଲରେ ରହିଥିବା ପାହାଡ ଉପରୁ ଉକ୍ତ କଙ୍କାଳ ଟି ଏକ ପୁରୁଷ ଲୋକର ବୋଲି ଅନୁମାନ କରାଯାଉଛି। ଗଛରେ ଗାମୁଛା ବନ୍ଧା ହୋଇଥିବା ବେଳେ ସେଥିରେ କିଛି ଚୁଟି ଓ ଖପୁରୀ ରହିଥିବା ବେଳେ ଶରୀରର ଅନ୍ୟ ଅଂଶ ତଳେ ପଡିଥିବା ଦେଖିବାକୁ ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେସ ନମ୍ବର ୧୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏଫ୍‌ଏମ୍‌ଟିକୁ ପଠାଯାଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ଉଦ୍ଧାର ହୋଇଥିବା କଙ୍କାଳ ୧୫ ଦିନ ହେଲା ନିଖୋଜ ହୋଇଥିବା ବିରିକୋଟ ନିକଟ ମହୁଲପଲ୍ଲୀ ଗ୍ରାମର ମିଶନ ପ୍ରଧାନ(୫୫)ର ପୁଲିସ ଅନୁମାନ କରୁଛି l ଗତ ୯ ତାରିଖ ଦିନ ପରିବାର ସହ କୌଣସି କାମରୁ ଘରକୁ ଫେରୁଥିବା ବେଳେ ରମ୍ଭା ନିକଟରେ ପରିଶ୍ରା ଯିବାକୁ କହି ଜଙ୍ଗଲ ଆଡକୁ ଦୌଡି ପଳାଇଥିଲେ। ପରିବାର ଲୋକ ଖୋଜି କରିବା ସହ ଘରକୁ ନଫେରିବାରୁ ପରିବାର ଲୋକ ନିଖୋଜ ଅଭିଯୋଗ କରିଥିଲେ। ମିଶନର ମାନସିକ ଅବସ୍ଥା ଠିକ ନଥିବା ସହ ସେ କେଉଁ ଆଡେ ପଳାଇଥିବା ପରିବାର ଲୋକ ଥାନରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ ନମ୍ବର ୪୪ରେ ଏକ ନିଖୋଜ ମାମଲା ରୁଜୁ କରିଥିଲା। ତେବେ ରମ୍ଭା ନିକଟ ଜଙ୍ଗଲ ଭିତରୁ କଙ୍କାଳ ମିଳିବା ପରେ ତାର ପୋଷକ ଦେଖି ଏହା ମିଶନର ବୋଲି ପରିବାର ଲୋକ ଚିହ୍ନଟ କରିଥିଲେ। ତେଣୁ ପୁଲିସ ଏହା ମିଶନର ମୃତଦେହ ବୋଲି ଅନୁମାନ କରୁଛି।