ମୃତ୍ୟୁ ର ଉପତ୍ୟକା ଗିଡିପାବାଲି : ମାଟିତଳୁ ଉଦ୍ଧାର ହେଲା ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ

ଭଞ୍ଜନଗର (ଅଳକା ମାହାନ୍ତି, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି ଓଡ଼ିଶା ଟୁଡେ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ପଞ୍ଚାୟତର ଗିଡିପାବାଲି ଗ୍ରାମରେ ଘଟିଥିବା ଭୟାବହ ଭୂସ୍ଖଳନ ଘଟଣାରେ ଆହୁରି ୫ ଜଣଙ୍କ ମୃତଦେହ ମାଟିତଳୁ ଉଦ୍ଧାର କରାଯାଇଛି। ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତ୍ୟୁ ଖବର ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ପୂର୍ବରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ମୋଟ ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଛି। ତେବେ ଆହୁରି ୬ ଜଣ ମାଟିତଳେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଭୂସ୍ଖଳନର କରାଳ ରୂପ ଛାରଖାର କରିଦେଇଛି ଗିଡିପାବାଲି ଗ୍ରାମକୁ। ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବା ଜୀବନକୁ ଖୋଜିବା ପାଇଁ ଉଦ୍ଧାରକାରୀ ଟିମ୍ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି। ପୂର୍ବରୁ ଦୁଇଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ଗୁରୁବାର ଗୋଟିଏ ପରିବାରର ଆଉ ପାଞ୍ଚ ଜଣଙ୍କ ମୃତଦେହ ମାଟିତଳୁ ଉଦ୍ଧାର କରାଯାଇଛି।

ଉଦ୍ଧାର ହୋଇଥିବା ମୃତକଙ୍କ ମଧ୍ୟରେ ସ୍ୱାମୀ ବିଜୟ ପ୍ରଧାନ ଓ ସ୍ତ୍ରୀ ଭୂମିକା ପ୍ରଧାନ ଥିବା ଜଣାପଡ଼ିଛି। ଅନ୍ୟ ମାନେ ଶିଶୁ ରହିଥିବା ଜଣା ପଡ଼ିଛି।

ଏହି ଘଟଣାରେ ଏଯାବତ୍ ମୋଟ ୭ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆହୁରି ୬ ଜଣ ମାଟିତଳେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏନେଇ ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ହୃଦୟବିଦାରକ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।