ଆଉ ନାହାଁନ୍ତି ସମସ୍ତଙ୍କ ପରିଚିତ ମୁସ୍କାନ ଭାଇନା, ଅଜଣା ଗାଡ଼ି ଧକ୍କାରେ କଂଗ୍ରେସର ନଗରପାଳ ପ୍ରାର୍ଥୀ ମୃତ

ଭଞ୍ଜନଗର ୧୯/୧୧ (ଅଳକା ମାହାନ୍ତି, ଦକ୍ଷିଣାଞ୍ଚଳ ସ୍ୱତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଅଜଣା ଗାଡ଼ି ଧକ୍କାରେ ଗୁରୁବାର ଅପରାହ୍ନ ୧ ଟା ସମୟରେ ବାଉଁଶଲୁଣ୍ଡି ଠାରେ ଭଞ୍ଜନଗର କଂଗ୍ରେସର ନଗରପାଳ ପ୍ରାର୍ଥୀ ବିକ୍ରମ ବିଶୋଇଙ୍କ (୫୫) ମୃତ୍ୟୁ ଘଟିଛି । ୨୦୨୨ ପୌର ନିର୍ବାଚନରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ପଦବୀ ପାଇଁ ସେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ଜଣେ ଗାନ୍ଧୀବାଦୀ ନେତା ଭାବେ ପରିଚିତ ବିକ୍ରମ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମୁସ୍କାନ ଭାଇନା ଭାବେ ପରିଚିତ ଥିଲେ । ରେଡ୍ କ୍ରସ୍ ରୋଡ ରେ ମୁସ୍କାନ ନାମରେ ତାଙ୍କର ଏକ ବହି ଦୋକାନ ମଧ୍ୟ ରହିଥିଲା । ଗରିବ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ବହି ଖାତା ଦେଇ ସ୍ୱର୍ଗତ ବିକ୍ରମ ବିଶୋଇ ପ୍ରିୟପାତ୍ର ହୋଇଥିଲେ । ବିଭିନ୍ନ ସମୟରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ରୋଗୀ ମାନଙ୍କୁ ସହାୟତାର ହାତ ବଢ଼ାଇ ସମସ୍ତଙ୍କ ପ୍ରିୟଭାଜନ ମଧ୍ୟ ହୋଇଥିଲେ ବିକ୍ରମ । ବିକ୍ରମ ଦୀର୍ଘ ବର୍ଷ ଧରି କଲେଜ୍ ଛାତ୍ର ସଂସଦ ନିର୍ବାଚନ ସହ ଜଡ଼ିତ ଥିଲେ । କଂଗ୍ରେସ ଦଳର ପ୍ରାର୍ଥୀ ଚୟନ ଓ ନିର୍ବାଚନ ପରିଚାଳନାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହୁଥିଲା । ଆଜି ତାଙ୍କ ବିୟୋଗରେ ଭଞ୍ଜନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଯୋଗ୍ୟ ସ୍ୱର୍ଗତ ବିକ୍ରମ ବିଶୋଇ ପୂର୍ବତନ ପିସିସି ସଦସ୍ୟ ତଥା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରାର୍ଥୀ ଦେବୀପ୍ରସାଦ ବିଷୋଇଙ୍କ ଭାଇ ଥିଲେ ।

ରେଡ୍ କ୍ରସ ରୋଡରେ ଥିବା ତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରି ଘରକୁ ଖାଇବା ପାଇଁ ଯାଇଥିବା ବେଳେ ବାଉଁଶଲୁଣ୍ଡି ଠାରେ ଏକ ପିକଅପ୍ ଭ୍ୟାନ୍ ଧକ୍କାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ ମୃତ ଦେହ କୁ ଭଞ୍ଜନଗର ମେଡିକାଲ କୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଗାଡ଼ି ଓ ଚାଳକଙ୍କୁ ପୋଲିସ ସନ୍ଧାନ କରୁଥିବା ଜଣା ପଡ଼ିଛି ।