
ଭଞ୍ଜନଗର (ବବି ରଥ, ଓଡ଼ିଶା ଟୁଡେ) ୨୫/୦୬/୨୪: ଓଡ଼ିଶାରେ ସରକାର ପରିବର୍ତ୍ତନ ହୋଇଛି, ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଧାୟକ ପରିବର୍ତ୍ତନ ହୋଇଛନ୍ତି । ବିଜେପିର ପ୍ରଦ୍ୟୁମ୍ନ କୁମାର ନାୟକ ଭଞ୍ଜନଗର ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି । ବିଭିନ୍ନ ସଙ୍ଗଠନ ପକ୍ଷରୁ ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ଅଞ୍ଚଳରେ ରହିଥିବା ବିଭିନ୍ନ ଦାବି ଗୁଡ଼ିକୁ ବିଧାୟକଙ୍କୁ ଜଣାଉଛନ୍ତି । ଭଞ୍ଜନଗର ବରିଷ୍ଠ ନାଗରିକ ମଞ୍ଚ ଏବଂ ଘୁମୁସର ବିକାଶ ପରିଷଦ ସଦସ୍ୟ ମାନେ ସ୍ଥାନୀୟ ବନ ବିଭାଗ ବଙ୍ଗଳା ରେ ବିଧାୟକଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।
ଘୁମୁସର ଜିଲ୍ଲା ଦାବି ଦୀର୍ଘ ତିନି ଦଶନ୍ଧି ଧରି ଚାଲିଥିବା ବେଳେ ପୂର୍ବ ସରକାର ଏହା ପ୍ରତି ବିଶେଷ ଗୁରୁତ୍ବ ଦେଉଥିବା ଜଣା ପଡ଼ିନଥିଲା । ନିଜେ ପୂର୍ବତନ ବିଧାୟକ ବିକ୍ରମ କେଶରୀ ଆରୁଖ ଏହି ଦାବି ପ୍ରତି ସେତେଟା ଆଗ୍ରହ ପ୍ରକାଶ କରୁନଥିଲେ । କେବଳ ଭୋଟ ପାଇଁ ଆଚରଣ ବିଧି ଲାଗୁ ହେବାର ଠିକ୍ ପୂର୍ବରୁ ଭଞ୍ଜନଗର କୁ ପୌର ପରିଷଦ ଘୋଷଣା କରାଯାଇଥିଲା, ତାହା ମଧ୍ୟ କୌଣସି କାଗଜପତ୍ର ହୋଇନଥିବା ଜଣା ଯାଇଛି ।ବର୍ତ୍ତମାନର ବିଧାୟକ ପ୍ରଦ୍ୟୁମ୍ନ ନାୟକ ଭୋଟ ପୂର୍ବରୁ ଘୁମୁସର ଜିଲ୍ଲା ସଂଗ୍ରାମରେ ସାମିଲ ଥିଲେ , ଭଞ୍ଜନଗର ବନ୍ଦ ପାଳନ ବେଳେ ସହଯୋଗ କରିଥିଲେ । ବିଧାୟକ ଭାବେ ନିର୍ବାଚିତ ହେବା ପରେ ଓଡ଼ିଶା ଟୁଡେ ପ୍ରଦ୍ୟୁମ୍ନ ନାୟକଙ୍କ ପ୍ରତିକ୍ରିୟା ନେଇଥିଲା, ସେହି ସମୟରେ ମଧ୍ୟ ସେ ଘୁମୁସର ଜିଲ୍ଲା ପାଇଁ ତତ୍ପର ରହିଥିବା ପ୍ରକାଶ କରିଥିଲେ ।
ବରିଷ୍ଠ ନାଗରିକ ମଞ୍ଚ ଏବଂ ଘୁମୁସର ବିକାଶ ପରିଷଦ ପକ୍ଷରୁ ବିଧାୟକଙ୍କୁ ଘୁମୁସର ଜିଲ୍ଲା ପାଇଁ ଦାବି ପତ୍ର ଦିଆଯିବା ସହ ଭଞ୍ଜନଗର ରେ ଶୀତଳ ଭଣ୍ଡାର ନିର୍ମାଣ, ବରିଷ୍ଠ ନାଗରିକ ମାନଙ୍କ ପାଇଁ ବୈଠକ ଗୃହ ନିର୍ମାଣ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ କୁ ସ୍ଵଂୟ ଶାସିତ ମାନ୍ୟତା ପ୍ରଦାନ, ଭଞ୍ଜନଗର ଓ ଫୁଲବାଣୀ ଦେଇ ଗୋପାଳପୁର – ସମ୍ବଲପୁର ଟ୍ରେନ ପ୍ରଚଳନ, କବି ସମ୍ରାଟ ଙ୍କ ନାମରେ ଡାକ ଟିକଟ ପ୍ରଚଳନ, ବୈଦେହୀଶ ବିଳାସ ନାମରେ ବୈଦେହୀ ଟ୍ରେନ ପ୍ରଚଳନ, ଓଡ଼ିଆ ଭାଷା ସାହିତ୍ୟ ଓ ସଙ୍ଗୀତ ବିଶ୍ୱ ବିଦ୍ୟାଳୟ ଓ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା, ଭଞ୍ଜ ସାହିତ୍ୟକୁ ହିନ୍ଦୀ ଇଂରାଜୀ ଭାଷାରେ ଅନୁବାଦ କରିବା, ବୀର ଚକରା ବିଶୋୟୀଙ୍କ ନାମରେ ଶାରୀରିକ ବିଶ୍ଵବିଦ୍ୟାଳୟ ସ୍ଥାପନ, ଖୋଲା ରଙ୍ଗମଞ୍ଚ ଓ ଘୁମୁସର ସଂଗ୍ରହାଳୟ ନିର୍ମାଣ କରିବା, ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲକୁ ଜିଲ୍ଲା ମେଡିକାଲରେ ରୂପାନ୍ତରିତ କରିବା ସହ ଏଠାରେ ସ୍ଥାୟୀ ଜିଲ୍ଲା ମେଡ଼ିକାଲ ବୋର୍ଡ, ଆଞ୍ଚଳିକ ନିଦାନ ପରୀକ୍ଷା କେନ୍ଦ୍ର ସ୍ଥାପନ ଓ ସମସ୍ତ ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସାସ୍ଥ୍ୟ କେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ, କୁଲାଡ଼ ଉପର ବାଗଦେବୀ ପୀଠକୁ ପକ୍କା ରାସ୍ତା ନିର୍ମାଣ, ଭଞ୍ଜନଗର ଜଳଭଣ୍ଡାରର ପୁନରୁଦ୍ଧାର, ସମସ୍ତ ବୃହତ ଉଠାଜଳ ସେଚନ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ, ଜାତୀୟ ମାନ୍ୟତା ପ୍ରାପ୍ତ ଘୁମୁସରୀ ଗୋବଂଶ ଗୋପାଳକଙ୍କ ସାମୂହିକ ବିକାଶ, ବିହନକେନ୍ଦ୍ର, ପାରମ୍ପରିକ କୃଷି ବିକାଶର ବିକାଶ, ଓମଫେଡ୍ର ଚିଲିଙ୍ଗ ପ୍ଳାଣ୍ଟ ସ୍ଥାପନ, ପରିତ୍ୟକ୍ତ ଅବସ୍ଥାରେ ଥିବା ସମସ୍ତ ବିଜୁ ଗ୍ରାମୀଣ ବଜାର କାର୍ଯ୍ୟକ୍ଷମ, ଜଗନ୍ନାଥପ୍ରସାଦକୁ ଏନ୍ଏସି, ତିନିଛକିଆକୁ ବ୍ଲକ ଘୋଷଣା, ଜଗନ୍ନାଥପ୍ରସାଦର ଆଦିବାସୀ ଅଧୁଷିତ ଓ ଦୁର୍ଗମ ଅଞ୍ଚଳକୁ ପକ୍କା ରାସ୍ତା ନିର୍ମାଣ, ଭଞ୍ଜନଗରରେ ଭିନ୍ନକ୍ଷମ ବିଦ୍ୟାଳୟ ପ୍ରତିଷ୍ଠା, ସୁରତରେ ରହୁଥିବା ପ୍ରବାସୀ ଘୁମୁସର ଶ୍ରମିକମାନଙ୍କ ପାଇଁ ସତନ୍ତ୍ର ଯୋଜନା କରିବା ସମ୍ପର୍କିତ ଦାବିପତ୍ର ବିଧାୟକଙ୍କୁ ପ୍ରଦାନ କରାଯାଇଛି ।
ବିଧାୟକ ପ୍ରଦ୍ୟୁମ୍ନ ନାୟକ ସମସ୍ତ ଦାବି ଗୁଡ଼ିକୁ ଶୁଣିବା ପରେ ଦାବି ଗୁଡ଼ିକ ଯଥାର୍ଥ ରହିଥିବା କହିଥିଲେ । ଓଡ଼ିଶାରେ ସରକାର ପରିବର୍ତ୍ତନ ହୋଇଥିବାରୁ ଭଞ୍ଜନଗର ତଥା ଘୁମୁସର ଅଞ୍ଚଳର ବିକାଶ ମଧ୍ୟ ତ୍ୱରାନ୍ୱିତ ହେବ ବୋଲି ଜଣାଇଥିଲେ । ଉଭୟ ସଙ୍ଗଠନ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, କୋଷାଧକ୍ଷ ବି. ସୁଶାନ୍ତ ପାତ୍ର, ବରିଷ୍ଠ ସଭ୍ୟ ରବୀନ୍ଦ୍ର ସାମନ୍ତ ଓ ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ବିଧାୟକଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସମୟରେ ଭାରତୀୟ ଜନତା ପାର୍ଟି ର ମଧ୍ୟ ବହୁ କର୍ମ କର୍ତ୍ତା ଉପସ୍ଥିତ ଥିଲେ ।