ବିରାଟ-ବୁମରାହଙ୍କୁ ଛାଡ଼ି ଏହି ବ୍ୟକ୍ତିଙ୍କୁ ଟି-୨୦ ବିଶ୍ବକପ ଜିତିବାର ଶ୍ରେୟ ଦେଲେ ରୋହିତ୍

ନୂଆଦିଲ୍ଲୀ: ୨୦୦୭ ମସିହାରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଟି-୨୦ ଚାମ୍ପିୟନ ହୋଇଥିଲା। ଏହା ପରେ ୨୦୨୪ମସିହାରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତି ଚାମ୍ପିୟନ ହୋଇଥିଲା। ଜଣେ ଅଧିନାୟକ ଭାବରେ ଦଳକୁ ବିଶ୍ବକପ ଦେବାର ସ୍ବପ୍ନ ସମସ୍ତଙ୍କର ଥାଏ ଏବଂ ରୋହିତ ଶର୍ମା ତାଙ୍କ ସ୍ୱପ୍ନକୁ ପୂରଣ କରିବାରେ ସଫଳ ହୋଇଛନ୍ତି। ରୋହିତ ତାଙ୍କ ରଣନୀତି ଏବଂ କଠୋର ନିଷ୍ପତ୍ତି ପାଇଁ ଜଣାଶୁଣା। କିନ୍ତୁ ଏହା ସହିତ ରୋହିତଙ୍କର ଆଉ ଏକ ଗୁଣ ଅଛି। ସେ ସବୁବେ‌ଳେ ଦଳକୁ ଉନ୍ନତ ପ୍ରଦର୍ଶନ କରିବା ପାଇଁ ପ୍ରେରଣା ଦେଇଥାନ୍ତି ।

ବୁଧବାର ରୋହିତ ଶର୍ମାଙ୍କୁ ସିଏଟ କ୍ରିକେଟ୍ ରେଟିଙ୍ଗ ଆୱାର୍ଡସ ୨୦୨୩-୨୪ରେ ‘ମେନ୍ସ ଇଣ୍ଟରନ୍ୟାସନାଲ କ୍ରିକେଟର ଅଫ୍ ଦି ଇୟର’ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା କହିଥିଲେ ଯେ, ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ, ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର ଏବଂ ବିସିସିଆଇ ସଚିବ ଜୟ ଶାହା ପରିଣାମ ବିଷୟରେ ଚିନ୍ତା ନକରି ଭଲ ପ୍ରଦର୍ଶନ କରିବା ପାଇଁ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ, ଯାହା ଫଳରେ ମୋ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ ଜିତିପାରିଲା।

ରୋହିତଙ୍କ ନେତୃତ୍ୱରେ ଜୁନ୍ ମାସରେ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତ ଆଇସିସି ଟି-୨୦ ବିଶ୍ୱକପ ଜିତିଥିଲା। ୨୦୦୭ପରେ ଏହା ଭାରତର ଦ୍ୱିତୀୟ ଟି-୨୦ ବିଶ୍ୱ ଟାଇଟଲ୍ ଥିଲା ଏବଂ ରୋହିତ ବାରବାଡୋସରେ ସେହି ବିଜୟ ସହିତ ଟି-୨୦ରୁ ଅବସର ନେଇଥିଲେ ।

Leave a Reply

Your email address will not be published. Required fields are marked *