ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଲେ ଆତିଶୀ, କେଜ୍ରିୱାଲଙ୍କ ଚୌକିରେ ବସିଲେନି

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ଆତିଶୀ ଆଜି ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି। କେଜ୍ରିୱାଲଙ୍କ ଇସ୍ତଫା ପରେ ଆତିଶୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି। ଆତିଶୀ କହିଛନ୍ତି, ପ୍ରଭୁ ଶ୍ରୀରାମ ‘ବନବାସ’କୁ ଯିବାପରେ ଭରତ ଶାସନ ଭାର ଗ୍ରହଣ କଲାବେଳେ ଯେମିତି ଅନୁଭବ କରିଥିଲେ ଆଜି ମତେ ଠିକ୍‌ ସେମିତି ଅନୁଭବ ‌ହେଉଛି। କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ ଯେଉଁ ଚୌକିରେ ବସୁଥିଲେ ଆତିଶୀ ଆଜି ସେହି ଚେୟାରରେ ନବସି ଅନ୍ୟ ଏକ ଚେୟାର୍‌‌ରେ ବସିଥିଲେ। ପାଖରେ ସେ କେଜ୍ରିୱାଲ ବସୁଥିବା ଖାଲି ଚେୟାର ପକାଇଥିଲେ ।

ଆତିଶୀ କହିଛନ୍ତି, କେଜ୍ରିୱାଲ ଏକ ନୂଆ ମାନଦଣ୍ଡ ସୃଷ୍ଟି କରିଛନ୍ତି। ଭୁଲ୍‌ ମାମଲାରେ ତାଙ୍କୁ ଜେଲ୍‌ରେ ରଖାଯାଇଥିଲା। ଦିଲ୍ଲୀର ଲୋକମାନେ ତାଙ୍କୁ ଯେପର୍ଯ୍ୟନ୍ତ ସଚ୍ଚୋଟ ନଦେଖିଛନ୍ତି ‌ସେ ପର୍ଯ୍ୟନ୍ତ ସେ ଏହି ଚେୟାରରେ ବସିବେନି। ନିର୍ବାଚନ ପାଖେଇ ଆ‌ସୁଛି। ଲୋକମାନେ କେଜ୍ରିୱାଲଙ୍କୁ ଭୋଟ୍‌ ଦେବେ। ସେପର୍ଯ୍ୟନ୍ତ ଏହି ଚେୟାର ତାଙ୍କୁ ଅପେକ୍ଷା କରି ରହିବ ବୋଲି ଆତିଶୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ସେପ୍ଟେମ୍ବର ୨୬ ଏବଂ ୨୭ ତାରିଖରେ ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ହେବ। ଏହି ସମୟରେ ଆତିଶୀ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ।

Leave a Reply

Your email address will not be published. Required fields are marked *