ହବିଷ୍ୟାଳୀ ବ୍ରତ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ

ପୁରୀ: ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ମାସର ରାଈ ଦାମୋଦର ବ୍ରତ ବା ହବିଷ୍ୟାଳୀ ବ୍ରତ। ମା’ମାନେ ଏକମାସ ଧରି ୪ ଗୋଟି ହବିଷ୍ୟାଳୀ ନିବାସ ଯଥା ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର, ବାଗେଲା ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ରହି ବ୍ରତ ପାଳନ କରିବେ। ମା’ମାନଙ୍କର ରହଣି ସୁବିଧା ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପରାମର୍ଶ ଦେଇଛନ୍ତି। ଏ ସମ୍ପର୍କରେ ଶେଷ ପ୍ରସ୍ତୁତି ବୈଠକ ଶେଷ ହୋଇଛି।ଜିଲ୍ଲାପାଳ ଶ୍ରୀ ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିବା ସହ ରହଣି ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ସଂଧ୍ୟାରେ ଭଜନ, ପ୍ରବଚନ ଇତ୍ୟାଦିର ସୁବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ଗତବର୍ଷର ଅଭିଜ୍ଞତା ଆଧାରରେ ଚଳିତ ବର୍ଷ ମଧ୍ୟ ଆହୁରି ଭଲ ଭାବେ ଏହାକୁ ପରିଚାଳନା କରିବାକୁ ସେ ପରାମର୍ଶ ଦେଇଥିଲେ। ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ ହବିଷ୍ୟାଳୀ ମା’ମାନଙ୍କର ମନ୍ଦିର ଦର୍ଶନକୁ ଶୃଙ୍ଖଳିତ କରିବା ସହ ଅନ୍ୟାନ୍ୟ ଆଇନଶୃଙ୍ଖଳା ରକ୍ଷା ପାଇଁ ଆରକ୍ଷୀ ବିଭାଗ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରିଛି। ପରସ୍ପର ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *